୧୧ ଜିଲାକୁ ଗ୍ରୀଷ୍ମ ଲହରୀ ସତର୍କ ସୂଚନା ଜାରି, ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗର ପରାମର୍ଶ
ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରେ ପାରଦ ୪୫.୨ ଡିଗ୍ରୀ ଛୁଇଁଛି। ଏଠାରେ ସର୍ବାଧିକ ତାପମାତ୍ରା ଅଧିକ ରହିବା ଦ୍ବାରା ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି। ବୌଦ୍ଧରେ ପାରଦ ଉପରମୁହଁା ହୋଇ ୪୪.୫ ଡିଗ୍ରୀରେ ପହଞ୍ଚିଛି। ସମ୍ବଲପୁରରେ ୪୪.୨, ବଲାଙ୍ଗିର ଓ ଟିଟିଲାଗଡ଼ରେ ୪୪, ସୁନ୍ଦରଗଡ଼ରେ ୪୧.୮, ହୀରାକୁଦରେ ୪୩.୬, ଭବାନୀପାଟଣାରେ ୪୩.୬, ମାଲକାନଗିରିରେ ୪୧.୬, ସୁବର୍ଣ୍ଣପୁରରେ ୪୨.୧, ବରଗଡ଼ରେ ୪୧.୪, ନୂଆପଡ଼ାରେ ୪୩.୨, ଭୁବନେଶ୍ବରରେ ୩୭.୭ ଏବଂ କଟକରେ ୩୬.୬ ଡିଗ୍ରୀ ତାପମାତ୍ରା ଶୁକ୍ରବାର ରେକର୍ଡ ହୋଇଛି। ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ମଧ୍ୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଜାରି କରିଛି। ଗତ ୨୪ ଘଣ୍ଟାରେ ବୌଦ୍ଧକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସର୍ବାଧିକ ତାପମାତ୍ରା କମିଛି। ଭୁବନେଶ୍ବରରେ ଗୁରୁବାର ୪୨.୨ ଡିଗ୍ରୀ ତାପମାତ୍ରା ଥିବାବେଳେ ଶୁକ୍ରବାର ଏହା ୩୭.୭ ଡିଗ୍ରୀକୁ ଖସିଛି।
ଭୁବନେଶ୍ବରରେ ଅପରାହ୍ଣ ସାଢ଼େ ୨ଟା ବେଳକୁ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଥିବାବେଳେ ୫୪ ଡିଗ୍ରୀ ତାପମାତ୍ରା ଭଳି ଅନୁଭୂତ ହେଉଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। କିନ୍ତୁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବରଗଡ଼, ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ନୟାଗଡ଼ ଆଦି ୧୧ ଜିଲାକୁ ଗ୍ରୀଷ୍ମ ଲହରୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ବାଲେଶ୍ବର, ଯାଜପୁର, ଜଗତସିଂହପୁର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଜିଲାକୁ ଗରମ ଏବଂ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସମ୍ବଲପୁର ଏବଂ ବଲାଙ୍ଗିର ଜିଲାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିପାରେ।
Powered by Froala Editor