ସାଙ୍ଗଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଆଉ ଜଣେ ସାଙ୍ଗ
ଚିପିଲିମା: ସାମାନ୍ୟ ମାଛ ତରକାରୀ ଖାଇ ଦେଲା ବୋଲି ସାଙ୍ଗଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଆଉ ଜଣେ ସାଙ୍ଗ। ପୁଲିସ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ଅଦାଲତ ପଠାଇଛି। ସମ୍ବଲପୁର ଜିଲା ବୁର୍ଲା ଥାନା ଅଞ୍ଚଳରେ ଏଭଳି ହତ୍ୟାକାଣ୍ଡ ଘଟିଛି।
ବଲାଙ୍ଗିର ଜିଲା ଟିଟିଲାଗଡ଼ ଅଞ୍ଚଳରୁ ଆସି ଗତ ୨୦ ବର୍ଷ ହେଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ଲଡ଼ୁଖାଇ ଛକ ନିକଟ ସମବାୟ ସମିତି କମ୍ପ୍ଲେକ୍ସର ଏକ ଖାଲି ଘରେ ପରିବାର ସହ ରହୁଥିଲେ ଗୌର ବଗର୍ତ୍ତି (୬୮)। ଅଳ୍ପଦୂରରେ ଥିବା ମିଲ୍ପଡ଼ାର ଏକ ଢାବାରେ ବାସନକୁସନ ସଫା କରି ପରିବାର ଚଳାଉଥିଲେ ା ତାଙ୍କ ସହ ରହୁଥିବା ଯୁଯୋମୁରା ଥାନା ଅନ୍ତର୍ଗତ ଧୁଲୁମୁଣ୍ଡା ଗ୍ରାମର ଶିବ ସିଂହ (୬୫)ଙ୍କ ସହ ତାଙ୍କର ବନ୍ଧୁତା ଥିଲା ା ତେବେ ପୂର୍ବରୁ ଏକ ସାଇକଲ ଚୋରି ମାମଲାକୁ ନେଇ ଶିବ ବିଭିନ୍ନ ସମୟରେ ନିଶାସକ୍ତ ଅବସ୍ଥାରେ ଗୌରଙ୍କୁ ଗାଳିଗୁଲଜ କରି ହତ୍ୟାଧମକ ଦେଉଥିଲେ। ନିଶା ଛାଡ଼ିଗଲେ ପୁଣି ଦୁହେଁ ମିଶି ରହୁଥିଲେ। ଗତ ବୁଧବାର ଦୁହେଁ ମାଛ କିଣି ତରକାରୀ କରିଥିଲେ। ତେବେ ଗୌର ସବୁତକ ମାଛ ତରକାରୀ ଖାଇଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶିବ ଏକ ଟାଙ୍ଗିଆରେ ଆକ୍ରମଣ କରିବାରୁ ଗୌରଙ୍କ ମୃତ୍ୟୁ ଘଟିଥିଲା ା ଏ ସମ୍ପର୍କରେ ଶିବ କାମ କରୁଥିବା ଢାବାର ମାଲିକ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶିବକୁ ଗିରଫ କରିଥିଲା।
Powered by Froala Editor