ବିଜେପି ନେତା ଓ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ନିତିନ ନବୀନ
ଭୁବନେଶ୍ବର: ‘ଦଳକୁ ସରକାରକୁ ଆଣିବାରେ ସର୍ବାଧିକ ଯୋଗଦାନ ରଖିଥିବା ଜନତା ଜନାର୍ଦ୍ଦନ ଓ ଦଳୀୟ ପତାକା ଧରିଥିବା କର୍ମୀଙ୍କୁ ସାଥିରେ ନେଇ ଚାଲ। ସେମାନଙ୍କ ସମସ୍ୟାର ସମାଧାନ କର ଓ ସମଭାଗୀ ହୁଅ। ଜନତାଙ୍କ ଆସ୍ଥାଭାଜନ ହେବା ପାଇଁ ଉଭୟ ସରକାର ଓ ଦଳ କାର୍ଯ୍ୟ କରିବା ଉଚିତ। କାରଣ କ୍ଷମତାକୁ ଆସିବାଠାରୁ ଶାସନରେ ରହିବା ଅଧିକ ଆହ୍ବାନପୂର୍ଣ୍ଣ। ଏଥିପାଇଁ ଜନତା ଓ କର୍ମୀଙ୍କ ସହ ଉତ୍ତମ ସମନ୍ବୟ ଓ ସମ୍ପର୍କ ରଖି ଜନକଲ୍ୟାଣ କାର୍ଯ୍ୟ କରିବାକୁ ପଡ଼ିବ।’’ ସୋମବାର ବିଜେପି ନେତା ଓ କର୍ମକର୍ତ୍ତାଙ୍କୁ ଉପରୋକ୍ତ ଗୁରୁମନ୍ତ୍ର ଦେଇଛନ୍ତି ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶ ହିତ ପାଇଁ ସମର୍ପିତ ଭାବେ କାମ କରୁଛନ୍ତି। ଅନେକ ଆହ୍ବାନ ସତ୍ତ୍ବେ ଆମ ଦେଶ ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରୁଛି। କିନ୍ତୁ ଦେଶକୁ ସବୁମତେ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଆଭିମୁଖ୍ୟ ରଖିଛନ୍ତି ତାକୁ ନେଇ କାମ କରିବାକୁ ହେବ। ପାର୍ଟିର
ତୃଣମୂଳସ୍ତରର କର୍ମୀଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ। ସରକାର ଓ ପାର୍ଟି ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି କରିବାକୁ ହେବ। ଶୃଙ୍ଖଳାର ସହ ସବୁ ଆହ୍ବାନକୁ ପ୍ରତିହତ କରିବା। ଓଡ଼ିଶାର ପ୍ରତିଟି କୋଣରେ ବିଜେପିର ବିକାଶଶୀଳ ଚିନ୍ତନ ପହଞ୍ଚାଇବାକୁ ହେବ। ଦୁଇଦିନିଆ ଓଡ଼ିଶା ଗସ୍ତ ଅବସରରେ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଧାୟକ, ସାଂସଦ, ଛାମୁଆ ସଂଗଠନ ନେତା, ରାଜ୍ୟ ନେତୃବୃନ୍ଦଙ୍କୁ ଏହି ଆହ୍ବାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। କେନ୍ଦ୍ର ବିଜେପିର ମୁଖିଆ ପଦ ଭାର ଗ୍ରହଣ ପରେ ପ୍ରଥମଥର ଓଡ଼ିଶା ଆସିଥିବା ଶ୍ରୀ ନିତିନ ରାଜ୍ୟ କାର୍ଯ୍ୟାଳୟରେ ଘନ ଘନ ବୈଠକ କରି ଦଳକୁ ସୁଦୃଢ଼ କରିବା ସହ ଡବଲ ଇଞ୍ଜିନ ସରକାରଙ୍କୁ ଲୋକଙ୍କ ନିକଟତର କରାଇବାରେ ସାମାନ୍ୟତମ ଅବହେଳା ନକରିବା ଲାଗି ଉପଦେଶ ଦେଇଛନ୍ତି। କ୍ଷମତାକୁ ଆସିବା ଯେତିକି କଷ୍ଟଦାୟକ, ତା ଠାରୁ ଅଧିକ ସଂଘର୍ଷମୟ ହେଉଛି କ୍ଷମତାରେ ତିଷ୍ଠି ରହିବା। ଏହାର ଏକମାତ୍ର ଉପାୟ, ତାହା ହେଉଛି ଲୋକଙ୍କ ପାଇଁ ସମର୍ପିତ ଭାବେ କାମ କରିବା ବୋଲି ରାଷ୍ଟ୍ରୀୟ ସଭାପତି କହିଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋନହ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପରେ ଶ୍ରୀ ନିତିନ ନବୀନ ଦିଲ୍ଲୀ ଫେରିଯାଇଥିଲେ।
Powered by Froala Editor