୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା
ଦେଶବାସୀଙ୍କୁ ଅପିଲ୍ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ କାରକେଡକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ପିଏମ୍ ମୋଦି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗ ବିଶ୍ବରେ ତୈଳ ସଂକଟ ଜାରି ରହିଛି । ହର୍ମୁଜ୍ ପ୍ରଣାଳୀ ଦେଇ କ୍ରମାଗତ ଭାବେ ତୈଳ ଜାହାଜ ଆସୁନାହିଁ । ଆଗକୁ ବଡ଼ ତୈଳ ସଂକଟ ଦେଇଖା ଦେଇପାରେ । ତେଣୁ ଦେଶବାସୀଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କମ୍ କରିବା, ଘରେ ରହି ଅଫିସ୍ କାମ କରିବା ଏବଂ ଅନାବଶ୍ୟକ ବିଦେଶ ଯାତ୍ରା ଏଡାଇବା ପାଇଁ ଅନୁରୋଧ କରିଥିଲେ । ତେବେ ଏହାକୁ ନିଜେ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । ନିଜ କାରକେଡରେ SPG ଗାଡ଼ିର ଆକାରକୁ କମ୍ କରିଛନ୍ତି ପିଏମ୍ ମୋଦି ।
ପ୍ରଧାନମନ୍ତ୍ରୀଙ୍କ କାରକେଡରେ ନିୟୋଜିତ ଗାଡ଼ିର ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବାକୁ ଏସପିଜିକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରୋଟୋକଲ ଏବଂ SPG ନିର୍ଦ୍ଦେଶାବଳୀ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ଭଳି କଡ଼ାକଡ଼ି ବଜାୟ ରଖି କେବଳ ଯାନବାହାନ ସଂଖ୍ୟାକୁ ହ୍ରାସ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦରେ ଏହି ଆହ୍ବାନ ଦେଇଥିଲେ । ଗୁଜରାଟ ଏବଂ ଆସାମ ଗସ୍ତ ସମୟରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିଲା। କାରକେଡରେ ଇ-ବାହାନ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି ୟୁପି ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ କାଫିଲାରେ ବ୍ୟବହାର ହେଉଥିବା ଗାଡି ସଂଖ୍ୟାକୁ ହ୍ରାସ କରିଛନ୍ତି ।
ରବିବାର ହାଇଦ୍ରାବାଦରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ୍ ଯୁଦ୍ଧର ଆର୍ଥିକ ପ୍ରଭାବକୁ ମୁକାବିଲା କରିବା ଏବଂ ମୁଦ୍ରା ଭଣ୍ଡାର ସୁରକ୍ଷା ପାଇଁ ଲୋକମାନଙ୍କୁ ଆହ୍ବାନ ଦେଇଥିଲେ । ପିଏମ୍ ମୋଦି ପେଟ୍ରୋଲ୍ ଓ ଡିଜେଲ୍ ବ୍ୟବହାର କମାଇବା, ଅଧିକ ପରିମାଣରେ ମେଟ୍ରୋ ରେଳ ସେବା ବ୍ୟବହାର କରିବା, କାରପୁଲିଂ, ଇଲେକ୍ଟ୍ରିକ୍ ଯାନ ବ୍ୟବହାର ଓ ରେଳ ପାର୍ସେଲ୍ ସେବାକୁ ପ୍ରୋତ୍ସାହନ ଦେବା ସହିତ ‘ୱର୍କ ଫ୍ରମ୍ ହୋମ୍’ କରିବାକୁ ପରାମର୍ଶ ଦେଇଥିଲେ ।
Powered by Froala Editor