ସୁନାବେଡ଼ା ଜଙ୍ଗଲକୁ ବାଘ ଅଭୟାରଣ୍ୟ ମାନ୍ୟତା ଉଦ୍ୟମ

ଭୁବନେଶ୍ୱର: ସୁନାବେଡ଼ା ଜଙ୍ଗଲକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏନେଇ ରାଜ୍ୟ ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶିଶିର ରଥ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ କରାଯିବାକୁ ଯୋଜନା ରହିଛି । ବାଘ ଅଭୟାରଣ୍ୟ ପାଇଁ ଏନଟିସିଏ ଷ୍ଟାଣ୍ଡାର୍ଡ ପୂରଣ କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ରଥ କହିଛନ୍ତି ।
ଏଥିସହ ଅପରାଧୀଙ୍କ ନେଟୱାର୍କ ବଢିଥିବା ସ୍ୱୀକାର କରିବାକୁ ପଡ଼ିବ ବୋଲି ଶ୍ରୀ ରଥ କହିଛନ୍ତି । ବାଘ ସଂଖ୍ୟା ଠିକ ରହିଲେ ଜୈବ ବିବିଧତା ଠିକ ଅଛି ବୋଲି ଧରାଯିବ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, ଦେଶରେ ବାଘ ସଂଖ୍ୟା ବଢ଼ୁଛି । ହେଲେ ଓଡ଼ିଶାରେ ବାଘ ବଂଶ ବଢ଼ୁନି । କମି ଚାଲିଛି ସଂଖ୍ୟା । ଯେତିକି ବାଘ ଅଛନ୍ତି, ସେମାନଙ୍କ ସ୍ଥିତି ବି ସଙ୍କଟାପନ୍ନ । ବଂଶ ଲୋପ ପାଇବାକୁ ବସିଲାଣି । ସ୍ଥିତି ଏମିତି ହେଲାଣି ଯେ, ଆଉ ବର୍ଷ କେଇଟା ପରେ ଓଡ଼ିଶା ବାଘ ଶୂନ୍ୟ ରାଜ୍ୟ ପାଲଟିଯିବ । ଏମିତି ଆଶଙ୍କା କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ । ୨୦୦୬ରେ ଓଡ଼ିଶାରେ ଥିଲେ ୪୫ଟି ମହାବଳ ବାଘ । ୨୦୧୦ରେ ଏ ସଂଖ୍ୟା ଖସି ଆସିଲା ୩୨କୁ । ୨୦୧୪ରେ ଥିଲେ ୨୮ଟି । ୨୦୧୮ ଗଣନାରେ ବି ସମାନ ସ୍ଥିତି । ଏଥିରୁ ଅନୁମାନ କରାଯାଇପାରେ, ଓଡ଼ିଶାରେ ବାଘ କେତେ ସୁରକ୍ଷିତ । ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶ ଆଜି ବାଘ ରାଜ୍ୟ ମାନ୍ୟତା ପାଇଛି । ୨୦୦୬ରେ ମଧ୍ୟପ୍ରଦେଶରେ ଥିଲା ୩୦୦ ବାଘ । ୨୦୧୮ ଗଣନାରେ ମିଳିଲା ୫୨୬ ବାଘ । ୨୦୦୬ରେ ତାମିଲନାଡ଼ୁରେ ୭୬ଟି ବାଘ ଥିବାବେଳେ ୨୦୧୮ରେ ଥିଲା ୨୬୪ । ଏହି ସମୟ ଭିତରେ କର୍ଣ୍ଣାଟକର ବାଘ ସଂଖ୍ୟା ୨୯୦ରୁ ୫୨୪, କେରଳର ୪୬ରୁ ୧୯୦, ଉତ୍ତରାଖଣ୍ଡରେ ୧୭୮ରୁ ୪୪୨କୁ ବୃଦ୍ଧି ପାଇଛି ।
ଉଲ୍ଲେଖନୀୟ କଥା ହେଲା, ୨୦୦୬ରୁ ୨୦୧୮ ଭିତରେ ଦେଶରେ ବାଘ ସଂଖ୍ୟା ୧୪୧୧ରୁ ୨୯୬୭କୁ ବୃଦ୍ଧି ପାଇଛି ।ଅନ୍ୟ ରାଜ୍ୟରୁ ଓଡ଼ିଶା କିଛି ଶିଖୁନାହିଁ । ବାଘ ବଂଶ ବିସ୍ତାର ପାଇଁ ସରକାର ସାମାନ୍ୟ ଚିନ୍ତିତ ନୁହନ୍ତି । ୧୫ ବର୍ଷ ଭିତରେ ରାଜ୍ୟରେ ଗୋଟିଏ ବି ନୂଆ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ହୋଇପାରିନି । ଓଡ଼ିଶାରେ ମାତ୍ର ଦୁଇଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି । ୧୯୬୬ରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ହୋଇଥିଲା । ୨୦୦୬-୦୭ରେ ସାତକୋଶିଆକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରାଗଲା । ସୁନାବେଡ଼ାକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ୨୦୧୯ରୁ ଏନଟିସିଏ ଅନୁମୋଦନ ଦେଇଛି । ବିଡ଼ମ୍ବନା, ରାଜ୍ୟ ସରକାର ବିଜ୍ଞପ୍ତି ଜାରି ନ କରି ହାତ ବାନ୍ଧି ବସିଛନ୍ତି । ବିଶେଷଜ୍ଞଙ୍କ କହିବାନୁଯାୟୀ ଶିମିଳିପାଳ ଓ ସାତକୋଶିଆ ତୁଳନାରେ ସୁନାବେଡ଼ାରେ ବାଘ ବଂଶ ବଢ଼ିବା ପାଇଁ ପରିବେଶ ଅଧିକ ଭଲ ରହିଛି । ଛତିଶଗଡ଼ର ଉଦାନ୍ତୀ ବ୍ୟାଘ୍ର ଅଭୟାରଣ୍ୟକୁ ଏହା ଲାଗିଛି । ବିଶାଳକାୟ ଜଙ୍ଗଲ ଥିବାରୁ ସୁନାବେଡ଼ା ବାଘ ବଂଶ ବିସ୍ତାର ପାଇଁ ଉପଯୁକ୍ତ ସ୍ଥାନ ହୋଇପାରିବ । ଛତିଶଗଡ଼ ବାଘ ସହ ପ୍ରଜନନ ହେଲେ ବାଘ ବଂଶ ଆଗକୁ ବଢ଼ିବ ।
ସାତକୋଶିଆ ଅଭୟାରଣ୍ୟରେ ବାଘ ସଂରକ୍ଷଣ ଯୋଜନା ଫେଲ୍ ମାରିଛି । ଏଠି ବାଘ ବଂଶ ବଢ଼ିପାରୁନି । ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ଏନଟିସିଏ ସହଯୋଗରେ ମଧ୍ୟପ୍ରଦେଶରୁ ଗୋଟିଏ ବାଘ ଓ ଗୋଟିଏ ବାଘୁଣୀ ଅଣାଯାଇଥିଲା । ମାତ୍ର ଆମ ଜଙ୍ଗଲ ବିଭାଗର ଅପାରଗତାରୁ ଏ ଯୋଜନା ବି ଫେଲ୍ ମାରିଲା । ବାଘ ବଂଶ ବଢ଼ିବା ତ ଦୂର କଥା, ଆଣିଥିବା ବାଘକୁ ବି ସୁରକ୍ଷା ଦେଇପାରିଲାନି ଓଡ଼ିଶା । ସୁରକ୍ଷା ଅଭାବରୁ ବାଘ ମଲା । ବାଘୁଣୀଟି ପ୍ରାୟ ଦୁଇ ବର୍ଷ କାଳ ବନ୍ଦୀ ରହିବା ପରେ ମଧ୍ୟପ୍ରଦେଶ ଫେରିଲା । ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର । ମାତ୍ର ସ୍ଥାନୀୟ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି ।ଏ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କର ନୀତିରୁ ଓଡ଼ିଶା କିଛି ଶିକ୍ଷା ଲାଭ କରୁନାହିଁ ।
ଶିମିଳିପାଳ ବାଘ ବଂଶ ସଙ୍କଟରେ । ୨୦୧୮ ଗଣନା ଅନୁଯାୟୀ ଶିମିଳିପାଳରେ ୧୮ଟି ବାଘ ଥିଲେ, ରାଜ୍ୟରେ ସର୍ବାଧିକ । ହେଲେ ସେମାନଙ୍କ ଭବିଷ୍ୟତ ନେଇ ବିଶେଷଜ୍ଞ ଚିନ୍ତିତ । ଖୋଦ୍ ଏନଟିସିଏ ଏ ନେଇ ସତର୍କ କରାଇ କହିଛି, ଶିମିଳିପାଳରେ ବାଘ ବଂଶ ରକ୍ଷା କରିବାକୁ ହେଲେ ଭିନ୍ନ ଭିନ୍ନ ପ୍ରଜାତିର ବାଘ ଆଣି ଛାଡ଼ିବାକୁ ହେବ । ଭିନ୍ନ ପ୍ରଜାତିର ବାଘ ମଧ୍ୟରେ ମିଳନ କରି ବାଘ ବଂଶ ବଢ଼ାଇବାକୁ ହେବ ।
ଦେବ୍ରୀଗଡ଼ ବାଘ ବଂଶ ବିସ୍ତାର ପାଇଁ ଅନ୍ୟତମ ଉପଯୁକ୍ତ ସ୍ଥାନ । ସେଠି ବାଘ ଅଛନ୍ତି । ମାତ୍ର ସେଠାରେ ଥିବା ବାଘଙ୍କୁ ଅଭୟରେ ରଖିବା ପାଇଁ ସରକାର ଚିନ୍ତିତ ନୁହନ୍ତି । ଏହାକୁ ବ୍ୟାଘ୍ର ଅଭୟାରଣ୍ୟ କରିବା ନେଇ ସରକାରଙ୍କର ନଜର ନାହିଁ । ବିଭିନ୍ନ ରାଜ୍ୟରେ ବାଘ ଏକ ପ୍ରମୁଖ ପର୍ୟ୍ୟଟନର ମାଧ୍ୟମ ପାଲଟିଛି । ବାଘ ଦେଖିବାକୁ ପର୍ୟ୍ୟଟକ ଆସୁଛନ୍ତି । ଏହା ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଉଛି । ଆଉ ରୋଜଗାର ପାଇଁ ସ୍ଥାନୀୟ ଲୋକେ ହିଁ ବାଘ ବଂଶକୁ ସୁରକ୍ଷା ଦେଉଛନ୍ତି । ଏ ସବୁ ବୁଦ୍ଧି ଆମ ଜଙ୍ଗଲ ବିଭାଗ ମୁଣ୍ଡ ଜୁଟୁନି କାହିଁକି ବୋଲି ପରିବେଶ ପ୍ରେମୀ ପ୍ରଶ୍ନ କରିଛନ୍ତି ।
Powered by Froala Editor