୧୧ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ଭୁବନେଶ୍ବର: ଗଲ୍ଫ, ମିଆଁମାର ସହିତ ଶ୍ରୀଲଙ୍କା ସମୁଦ୍ର ପତ୍ତନରୁ ବାୟୁମଣ୍ଡଳର ୫.୮ କି.ମି. ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ମେ’ ୧୧ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କିନ୍ତୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମ୍ଭାବ୍ୟ ଲଘୁଚାପ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନାହିଁ। ଶନିବାର ଅପରାହ୍ଣରେ ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଦେବଗଡ଼, ପାରଳାଖେମୁଣ୍ଡି, କଟକ ଏବଂ ବାଲେଶ୍ବରରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ଝଡ଼ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାକୁ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସତର୍କ ସୂଚନା ଦିଆଯାଇଛି।
ଶନିବାର ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୯.୩ ଡିଗ୍ରୀ ଥିବାବେଳେ ସୁବର୍ଣ୍ଣପୁରରେ ୩୮.୫, ତାଳଚେରରେ ୩୮.୨, ଝାରସୁଗୁଡ଼ାରେ ୩୮, ଭୁବନେଶ୍ବରରେ ୩୭.୩ ଏବଂ କଟକରେ ୩୫.୮ ଡିଗ୍ରୀ ରହିଛି। କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା କମିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।
କିଛି ମଡେଲର ଆକଳନ ସମ୍ଭାବ୍ୟ ଅବପାତ ତାମିଲନାଡ଼ୁ ଉପକୂଳରେ ଗଭୀର ଅବପାତ ରୂପନେଇ ଦୁର୍ବଳ ହୋଇପାରେ। ଆଉ କିଛି ମଡେଲ ଆକଳନ କହୁଛି, ତାମିଲନାଡ଼ୁ ଉପକୂଳରୁ ଏହା ଆରବସାଗର ଆଡ଼କୁ ଯାଇପାରେ। ମଡେଲଗୁଡ଼ିକର ଆକଳନ ଦେଖିଲେ କୌଣସି ସ୍ପଷ୍ଟତା ଆସୁନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ସେ କହିଛନ୍ତି।
Powered by Froala Editor