ବର୍ଷକୁ ଚିହ୍ନଟ ହେଉଛନ୍ତି ପାଖାପାଖି ୮ ହଜାର କୁଷ୍ଠରୋଗୀ
ଭୁବନେଶ୍ବର: ରାଜ୍ୟରେ କୁଷ୍ଠ ସ୍ଥିତିରେ ସୁଧାର ଆସୁନି। ସରକାର ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଯୋଜନାର ସଫଳ ରୂପାୟନ ହେଉନାହିଁ। ବିେଶଷକରି ଗ୍ରାମାଞ୍ଚଳରେ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ରାଜ୍ୟରେ ବର୍ଷକୁ ପାଖାପାଖି ୮ ହଜାର କୁଷ୍ଠରୋଗୀ ଚିହ୍ନଟ ହେଉଥିବା ଜଣାପଡ଼ିଛି। ୨୦୧୮-୧୯ରୁ ନେଇ ୨୦୨୪-୨୫ ପର୍ଯ୍ୟନ୍ତ ୫୫,୬୭୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଅନେକ ସ୍ଥାନରେ ଏବେ ବି କୁଷ୍ଠରୋଗୀ ଅବହେଳିତ ଅବସ୍ଥାରେ ରହିଛନ୍ତି। ରାସ୍ତାକଡ଼ରେ ବହୁ ରୋଗୀ ଭିକ୍ଷାବୃତ୍ତି କରୁଛନ୍ତି। ଦୂରରୁ ଥାଇ କୁଷ୍ଠ ରୋଗୀଙ୍କୁ ପରାମର୍ଶ ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ କୁଷ୍ଠ ରୋଗର ସ୍ଥିତି ଉଦ୍ବେଗଜନକ ରହିଛି। ୨୦୧୫ରେ ଏନେଇ ଅଦାଲତରେ ଏକ ଜନସ୍ବାସ୍ଥ୍ୟ ମାମଲା ହୋଇଥିଲା। ଯେଉଁଥିରେ ଅଦାଲତ ଉଦ୍ବେଗ ପ୍ରକାଶ କରିଥିଲେ। ସେହିପରି ୨୦୨୧ରେ ଅଦାଲତଙ୍କ ନିର୍ଦେଶ କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟରେ ୫୦୮୮ କୁଷ୍ଠରୋଗୀ ଚିହ୍ନଟ ପରେ ୨୦୦୬-୦୭ରେ କୁଷ୍ଠ ନିରାକରଣ କରାଯିବା ନେଇ ଘୋଷଣା ହୋଇଥିଲା। ଏବେ ପ୍ରତିବର୍ଷ ପାଖାପାଖି ୮ରୁ ୧୦ ହଜାର ରୋଗୀ ଚିହ୍ନଟ ହେଉଛନ୍ତି। ୨୦୨୩-୨୪ରେ ୮୩୯୬ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ୭୩୪୯ ମାମଲା ସାମ୍ନାକୁ ଆସିଛି। ଏବେ ସ୍କ୍ରିନିଂ ଜାରି ରହିଥିବାେବଳେ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। ପ୍ରତିବର୍ଷ ନୂଆରୋଗୀ ଚିହ୍ନଟ ହେଉଛନ୍ତି। ୫୦ ପ୍ରତିଶତ ରୋଗୀ ଅତି ମାତ୍ରାରେ ସଂକ୍ରମିତ।
ଅନ୍ୟପକ୍ଷରେ କୁଷ୍ଠ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ। ସରକାର ଏଥିପାଇଁ ମାଗଣା ଚିକିତ୍ସା ଉପଲବ୍ଧ କରିଛନ୍ତି। ଏହା ବଂଶଗତ ନୁହେଁ କିମ୍ବା ସ୍ପର୍ଶ କଲେ ଏହା ବ୍ୟାପେ ନାହିଁ। ଏହା ଏକ ବାୟୁବାହିତ ଜୀବାଣୁଜନିତ ସଂକ୍ରାମକ ସାଧାରଣ ରୋଗ। ଏହାର ପ୍ରମୁଖ ଲକ୍ଷଣ ହେଉଛି ଚର୍ମରେ ରଙ୍ଗହୀନ ଦାଗ ସହିତ ଉକ୍ତ ସ୍ଥାନକୁ ସ୍ପର୍ଶ କଲେ ଜଣାପଡ଼େ ନାହିଁ।
ବିଶେଷକରି ବଧିରା ଛଉ, ଚର୍ମ ମୋଟା ହୋଇ ତେଲିଆ ଦେଖାଯିବା ଏବଂ ହାତଗୋଡ଼ ଶୁଖିଲା ହୋଇ ବଧିରା ଲାଗିବା ସହିତ ହାତ ଓ ପାଦ ମାଂସପେଶୀ ଦୁର୍ବଳ ଲାଗିବା ଏହାର ପ୍ରାଥମିକ ଲକ୍ଷଣ। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
Powered by Froala Editor