ଯାତ୍ରୀବାହୀ ବସ୍-ଟ୍ରକ ମୁହାଁମୁହିଁ ଧକ୍କାରେ ଜଣେ ମୃତ
ବ୍ରହ୍ମପୁର : ଗଞ୍ଜାମ କୋଦଳା ଥାନା ନିକଟସ୍ଥ ବାଲିଢାବା ସମ୍ମୁଖରେ ଶନିବାର ଏକ ଯାତ୍ରୀବାହୀ ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରୁ ଜଣେ ନାବାଳକ ଅବସ୍ଥା ସଂକଟାପନ୍ନ ରହିଛି।
ପୋଲସରାରୁ ପୁରୀ ଅଭିମୁଖେ ଯାଉଥିବା ଦୁର୍ଗା ମାଧବ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସହ କଟକରୁ କୋଦଳା ଅଭିମୁଖେ ଆସୁଥିବା ଏକ ମୃଦୁ ପାନୀୟଜଳ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସରେ ବସିଥିବା ଯାତ୍ରୀ ମାନେ ଆହତ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ କୋଦଳା ଥାନା ପୁଲିସ, ଅଗ୍ନିଶମ ବାହିନୀ କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି।
Powered by Froala Editor