ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ, ମାଲିକ ଫେରାର
ଭୁବନେଶ୍ବର: ବରଗଡ଼ ଜିଲା ଅନ୍ତର୍ଗତ ବରପାଲିରେ ଚାଲୁଥିବା ଏକ ବଡ଼ ନକଲି ଖାଦ୍ୟ ସାମଗ୍ରୀ କାରଖାନାର ଠାବ ହୋଇଛି। ଜିଲା ପ୍ରଶାସନ ଚଢ଼ଉ କରି କାରଖାନାକୁ ସିଲ୍ କରିବା ସହିତ ବିପୁଳ ପରିମାଣର ନକଲି ଚକଲେଟ, ବିସ୍କୁଟ, ମୃଦୁ ପାନୀୟ, ଖାଇବା ତେଲ ଓ ଚୁଡ଼ା ଜବତ କରିଛି।
ସୂଚନା ଅନୁଯାୟୀ, ବରପାଲି ସାପ୍ତାହିକ ବଜାର ରାସ୍ତାରେ ଥିବା ଏକ ବଡ଼ କୋଠାରେ ଦୀର୍ଘଦିନ ଧରି ଏହି ଅବୈଧ କାରବାର ଚାଲୁଥିଲା। ଚଢ଼ଉ ସମୟରେ ପେପରରୁ ଚୁଡ଼ା ଓ ପୋଡ଼ା ମୋବିଲରୁ ଖାଇବା ତେଲ ପ୍ରସ୍ତୁତ ହେଉଥିବା ଜଣାଯାଇଛି।
ଚଢ଼ଉ ସମୟରେ ମାଲିକଙ୍କ ପକ୍ଷରୁ ଘର କବାଟ ଖୋଲାଯାଇ ନଥିବାରୁ ପୁଲିସ ବାସଗୃହକୁ ଘେରି ରହିଥିଲା। ପରେ ପ୍ରଶାସନ କାରଖାନାକୁ ସିଲ୍ କରିଦେଇଛି। ଏହି କାରଖାନାର ମାଲିକ ଅବିନାଶ ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ ଓ ସୁମିତ ଅଗ୍ରୱାଲ ଫେରାର ଥିବା ପୁଲିସ ସୂତ୍ରରୁ ଜଣାଯାଇଛି।
ଚଢ଼ଉରେ ବରପାଲି ତହସିଲଦାର ରୁକ୍ମଣ ମେହେର ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିବା ବେଳେ ପୁଲିସ ଇନ୍ସପେକ୍ଟର ପ୍ରମୋଦ କୁମାର ସାହୁ, ବରଗଡ଼ ଟାଉନ ଥାନା ଇନ୍ସପେକ୍ଟର ଚିତ୍ତରଞ୍ଜନ ମେହେର, ବରଗଡ଼ ଫୁଡ୍ ଇନ୍ସପେକ୍ଟର ପରମେଶ୍ୱର ନାୟକ, ସାନିଟାରୀ ଇନ୍ସପେକ୍ଟର ତେଜଭାନୁ ସାହୁ, ବରଗଡ଼ ଏମଟିସି ସୁଜିତ୍ ମଲ୍ଲିକଙ୍କ ସମେତ ବହୁ ପୁଲିସ ସାମିଲ ଥିଲେ।
Powered by Froala Editor