ଡଙ୍ଗାରେ ବସିବା ମାତ୍ରେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ
ଭୁବନେଶ୍ବର : ନୌକାରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଲାଇପ୍ ଜାକେଟ୍ (ଜୀବନ ରକ୍ଷାକାରୀ ଜାକେଟ) ପିନ୍ଧିବେ। ଯାତ୍ରୀବାହୀ ନୌକାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ହୋଇପାରିବ ନାହିଁ। ନିୟମ ଠିକ୍ ଭାବେ ପାଳନ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ନିୟମିତ ଭାବେ ଯାଞ୍ଚ କରିବେ। ୨୦୧୪ ମସିହାରେ ସମ୍ବଲପୁରରେ ମର୍ମନ୍ତୁଦ ନୌକା ବୁଡ଼ି ଦୁର୍ଘଟଣା ପରେ ସରକାରଙ୍କ ପକ୍ଷରୁ ଏପରି ନିର୍ଦେଶନାମା ଜାରି କରାଯାଇଥିଲା। ମଧ୍ୟପ୍ରଦେଶର ଜବଲପୁରରେ ନୌକା ବୁଡ଼ି ଘଟଣା ପରେ ପରେ ପୁଣି ଥରେ ଓଡ଼ିଶା ପରିବହନ ବିଭାଗ ଏପରି ନିର୍ଦେଶନାମା ଜାରି କରିଛି। ଏହିକ୍ରମରେ ଜବଲପୁର ନୌକା ଦୁର୍ଘଟଣା ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା ଠିକ ଚାଲୁଛି ନା ନାହିଁ ତାହାର ସମୀକ୍ଷା କରାଯାଇଛି।
ଜବଲପୁର ଦୁର୍ଘଟଣା ପରିପ୍ରେକ୍ଷୀରେ ରବିବାର ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ମାରିଟାଇମ୍ ବୋର୍ଡ, ପର୍ଯ୍ୟଟନ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଇତ୍ୟାଦି ବିଭାଗର ପ୍ରମୁଖ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା କରାଯାଇଛି। ଡଙ୍ଗାରେ ବସିବା ମାତ୍ରେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ। ସମସ୍ତେ ଯେପରି ଲାଇଫ୍ ଜାକେଟ୍ ପିନ୍ଧିବେ ତାହା ନୌକା ଚାଳକଙ୍କ ଦାୟିତ୍ବ। ପ୍ରତ୍ୟେକ ନୌକାରେ ଯାତ୍ରୀ କ୍ଷମତା ଅନୁସାରେ ଲାଇଫ୍ ଜାକେଟ ରହିବ। ନୌକାରେ ଜୀବନ ରକ୍ଷକ ଓ ଅଗ୍ନି ନିର୍ବାପନ ଉପକରଣ ରହିବା ଆବଶ୍ୟକ। ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଏ ସବୁ ନିୟମ ପାଳନ ହେଉଛି କି ନାହିଁ ତଦାରଖ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି।
Powered by Froala Editor