ନିର୍ବାଚନ ବଢାଉଛି ସଂକ୍ରମଣ!

ନିର୍ବାଚନ ବଢାଉଛି ସଂକ୍ରମଣ!
ନୂଆଦିଲ୍ଲୀ: ବେ ଲଗାମ କରୋନା ସଂକ୍ରମଣ । ପଶ୍ଚିମବଙ୍ଗ ଏବଂ ଆସାମ ସମେତ ବିଧାନସଭା ନିର୍ବାଚନ ହୋଇଥିବା ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୨ ସପ୍ତାହ ଧରି ସଂକ୍ରମଣହୁ ହୁ ହୋଇ ବଢିବାରେ ଲାଗିଛି । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଚାର ଆହୁରି ଜୋରଦାର ହୋଇଛି ଏବଂ ଭିଡ ବି ଜମିଛି । ରାଲି ଏବଂ ରୋଡ ସୋ ସମୟରେ ନାଁ କାହା ମୁହଁରେ ଅଛି ମାସ୍କ, ନାଁ ଅଛି ସାମରଜିକ ଦୂରତା । ଏହା ଫଳରେ ଗତ ୧୪ ଦିନ ମଧ୍ୟରେ ନିର୍ବାଚନ ଥିବା ରାଜ୍ୟମାନଙ୍କରେ ସଂକ୍ରମଣ ମାମଲା ୩୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ପଶ୍ଚିମବଙ୍ଗ ସବୁଠୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୪ ଦିନ ପଶ୍ଚିମବଙ୍ଗରେ ନୂଆ ସଂକ୍ରମଣ ମାମଲାରେ ୩୭୮ ପ୍ରତିଶତ ବୃଦ୍ଧି ହୋଇଛି । ଆସାମରେ ଗତ ୨ ସପ୍ତାହରେ ନୂଆ ସଂକ୍ରମଣ ମାମଲା ୩୩୧ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ପୁଡୁଚେରିରେ ସଂକ୍ରମଣ ମାମଲା ୧୭୫ ପ୍ରତିଶତ ଓ ତାମିଲନାଡୁରେ ୧୭୩ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି । କେରଳରେ ମଧ୍ୟ ନୂଆ ମାମଲାରେ ୮୪ ପ୍ରତିଶତ ବୃଦ୍ଧି ହୋଇଛି । ସ୍ଥିତି ଦିନକୁ ଦିନ ବିଗିଡୁଥିବାରୁ ନିର୍ବାଚନ ଯୋଗୁଁ ସଂକ୍ରମଣ ବଢୁଥିବା ଅନୁମାନ କରାଯାଉଛି । ସେଥିପାଇଁ ନିର୍ବାଚନ କମିସନ ଗତ ଶୁକ୍ରବାର କହିଥିଲେ, ପ୍ରାର୍ଥୀ ଏବଂ ତାରକା ପ୍ରଚାରକ ମାନେ ଯଦି ପ୍ରଚାର ସମୟରେ କରୋନା ନିୟମାବଳୀ ପାଳନ ନ କରନ୍ତି ତେବେ ସେମାନଙ୍କୁ ନିର୍ବାଚନ ପ୍ରଚାରକୁ ବାରଣ କରାଯିବ ।