ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ
ରବିବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ସ୍ବିସ୍ ଏୟାର ବିମାନ। ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ପାଇଲଟ୍ ଏବଂ ଗ୍ରାଉଣ୍ଡ ଷ୍ଟାଫ୍ ଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।
ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ସ (SWISS) ବିମାନ LX147 ର ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। କିନ୍ତୁ, ପାଇଲଟ୍ଙ୍କ ସମୟୋଚିତ ସଚେତନତା ଯୋଗୁଁ ଉଡ଼ାଣ ବାତିଲ କରାଯାଇଥିଲା, ଯାହା ଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଥିଲା।
ରିପୋର୍ଟ ଅନୁସାରେ, ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ସର ବିମାନ LX147, ଯାହାକି ଦିଲ୍ଲୀରୁ ଜୁରିଚ୍ ଅଭିମୁଖେ ଯାତ୍ରା କରିବାର ଥିଲା। ରନୱେରେ ପାଇଲଟ ବିମାନ ଉଡ଼ାଣ ଆରମ୍ଭ କରୁଥିଲେ। ସେହି ସମୟରେ, ବିମାନର ଗୋଟିଏ ଇଞ୍ଜିନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା ଏବଂ ଏଥିରେ ନିଆଁ ଲାଗିଗଲା। ଏହି ଘଟଣାରେ ଛଅ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଥିବା ଏବଂ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଉଥିବା ଜଣାପଡିଛି।
Powered by Froala Editor