ଏଥର ରଥଯାତ୍ରାରେ କର୍ଡନ ପାସ୍ ବହୁସଂଖ୍ୟାରେ କମାଇବା ପାଇଁ ହୋଇଛି ନିଷ୍ପତ୍ତି
ଭୁବନେଶ୍ବର: ଏଥର ରଥଯାତ୍ରାରେ କର୍ଡନ୍ ପାସ୍ ବଣ୍ଟା ଉପରେ ଲାଗିବ ଅଙ୍କୁଶ। ରଥ କର୍ଡନ ଭିତରକୁ ଅଧିକ ସଂଖ୍ୟକ ପାସ୍ଧାରୀଙ୍କ ପ୍ରବେଶ ରହୁଥିବାରୁ ରଥଟଣାରେ ଅସୁବିଧା ଉପୁଜୁଛି। ଏଥିପାଇଁ ଏଥର କର୍ଡନ ପାସ୍ ସଂଖ୍ୟା ବହୁସଂଖ୍ୟାରେ କମାଇବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି। ଏଥିସହ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ବଣ୍ଟନ ଉପରେ ମଧ୍ୟ ଅଙ୍କୁଶ ଲାଗିବ। ଶନିବାର ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜୁଲାଇରେ ହେବାକୁ ଥିବା ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକରେ ଏହା କୁହାଯାଇଛି। ରଥଯାତ୍ରାରେ ରଥଟଣା କିପରି ଶୃଙ୍ଖଳିତ ଭାବେ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ମଧ୍ୟରୁ ୫୭୬ଟି ସଂଗ୍ରହ ସରିଛି ଓ ଆବଶ୍ୟକ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଥିଲେ। ମଜବୁତ୍ ରଥ ଦଉଡ଼ି ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦିଆଯାଇଛି। ଓବିସିସି ପକ୍ଷରୁ ନିର୍ମାଣାଧୀନ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର କାର୍ଯ୍ୟ, ଆଚାର୍ଯ୍ୟ ହରିହର ଛକର ପୁନଃବିକାଶ, ଦିଗବାରେଣୀଠାରେ ବହୁତଳ ପାର୍କିଂ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ରଥାଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ମରାମତି କାର୍ଯ୍ୟ ଶେଷ ହେବ ବୋଲି ପୁରୀ ଜିଲାପାଳ କହିଛନ୍ତି।
ପୁରୀ ସମୁଦ୍ରକୂଳରେ ୬ଟି ବାୟୋ-ଶୌଚାଳୟ ବ୍ଲକ ସ୍ଥାପନ ହେବ। ଯେଉଁଥିରେ ୧୮ଟି ଏକକ ଶୌଚାଳୟ ସୁବିଧା ମିଳିବ। ରଥଟଣାକୁ ସୁଗମ ଲାଗି ବଡ଼ଦାଣ୍ଡରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ଓ ମେ’ ସୁଦ୍ଧା ସରିବ। ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପରିଚାଳନା, ସ୍ଥାୟୀ ଓ ଅସ୍ଥାୟୀ ସିସିଟିଭି ଓ ଜରୁରୀକାଳୀନ ବ୍ୟବସ୍ଥା, ପୁରୀ ସହର ଭିତର ଓ ସଂଲଗ୍ନ ରାସ୍ତା ମରାମତି, ସ୍ୱାସ୍ଥ୍ୟ, ପରିମଳ, ନିୟନ୍ତ୍ରଣ କକ୍ଷ ପରିଚାଳନା, ଯଥେଷ୍ଟ ସଂଖ୍ୟକ ପୁଲିସ ମୁତୟନ, ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ଆଦି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ୮ଟି ଅଧିକ ରେଳ ଟିକଟ କାଉଣ୍ଟର କରାଯିବା ନେଇ ସୂଚନା ଦିଆଯାଇଛି। ଏଥର ବଡ଼ଦାଣ୍ଡ ପାଖାପାଖି କେତେକ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପିତ ହୋଇଛି, ସେଠାରେ ମାଗଣା ରନ୍ଧାଖାଦ୍ୟ ବଣ୍ଟନ ସହିତ ଏହି ସମସ୍ୟା ଦୂର କରାଯାଇପାରିବ ବୋଲି କୁହାଯାଇଛି।
Powered by Froala Editor