ମୋଦୀଙ୍କୁ ଅଘୋରୀ କହିଲେ ସଞ୍ଜୟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋଗଲ ଶାସକ ଔରଙ୍ଗଜେ୍ବଙ୍କ ସହ ତୁଳନା କରିଛନ୍ତି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ। ଏଥିସହ ମୋଦୀଙ୍କୁ ଅଘୋରୀ ବୋଲି ସଞ୍ଜୟ କହିଥିଲେ। ପୁନେରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ କହିଥିଲେ ଭାରତରେ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ, ପିଭି ନରସିଂହ ରାଓ, ରାଜୀବ ଗାନ୍ଧୀ, ବାବା ସାହେବ ଆମ୍ବେଦକର, ବାଲ୍ ଠାକ୍ରେଙ୍କ ପରି ଅନେକ ମହାନ ନେତା ଜନ୍ମଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ମୋଗଲ ଶାସକ ଔରଙ୍ଗଜେବ୍ଙ୍କ ପରି ଲାଗନ୍ତି। ଔରଙ୍ଗଜେବ୍ ଗୁଜରାଟରେ ଜନ୍ମ ଗ୍ରହଣ କରିଥିଲେ। ମୋଦୀଙ୍କୁ ଅଘୋରୀ ବୋଲି କହି ସଞ୍ଜୟ ସମାଲୋଚନା କରିଥିଲେ। ସଞ୍ଜୟ କହିଥିଲେ ଭାରତୀୟ ରାଜନୀତିରେ ମୋଦୀଙ୍କ ପରି ଅଘୋରୀ ପୂର୍ବରୁ କେହି ନ ଥିଲେ। ମୋଦୀଙ୍କର ଯେପରି କ୍ରୂର ମାନସିକତା ରହିଛି ତାହା ପୂର୍ବରୁ ଅନ୍ୟ କୌଣସି ଭାରତୀୟ ରାଜନେତାଙ୍କ ନ ଥିଲା।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଔରଙ୍ଗଜେବ୍ଙ୍କ ସହ ତୁଳନା ସହ ଅଘୋରୀ ବୋଲି ଦର୍ଶାଯିବା ମନ୍ତବ୍ୟକୁ ନେଇ ବିଜେପି ତରଫରୁ ପ୍ରତିବାଦ କରାଯାଇଛି। ବିଜେପି ମୁଖପାତ୍ର ସେହଜାଦ୍ ପୁନାୱାଲା କହିଛନ୍ତି ବିରୋଧୀ ଦଳର ନେତାମାନେ ରାଜନୈତିକ ମର୍ଯ୍ୟାଦାର ସବୁ ସୀମା ଟପି ଯାଉଛନ୍ତି। ବିଜେପି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଥିବା ବେଳେ ବିରୋଧୀ ହତୋତ୍ସାହିତ ହୋଇପଡିଛନ୍ତି। ତେଣୁ ସେମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଣୁତେଣୁ ମନ୍ତବ୍ୟ ଦେଉଛନ୍ତି। ଏହା ସେମାନଙ୍କ ହତୋତ୍ସାହର ପରିଚୟ। ମୋଦୀଙ୍କ ସହ ସମଗ୍ର ଗୁଜରାଟକୁ ସଞ୍ଜୟ ଅପମାନିତ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ସର୍ବଦା ମୋଦୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରି ଆସୁଥିବା ବେଳେ ବର୍ତ୍ତମାନ ସଞ୍ଜୟ ତାଙ୍କ ପଥ ଅନୁସରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ତାଙ୍କୁ ଏପରି ସମାଲୋଚନା କରିବା ଅନୁଚିତ୍।
Powered by Froala Editor