ଏଆଇ ଯୋଗୁଁ ୨୦୩୦ ସୁଦ୍ଧା ସୃଷ୍ଟି ହୋଇପାରେ ଜଳସଙ୍କଟ
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ କ୍ଷେତ୍ରରେ ଏଆଇ ନିଜ ପାରିବାପଣିଆ ଦେଖାଉଛି। ତେବେ ଏଆଇ ଯୋଗୁଁ ୨୦୩୦ ସୁଦ୍ଧା ଜଳସଙ୍କଟ ସୃଷ୍ଟି ହୋଇପାରେ ବୋଲି ଜାତିସଂଘର ଏକ ପ୍ରତିଷ୍ଠିତ ସଂସ୍ଥା ‘ୟୁନାଇଟେଡ୍ ନେସନ୍ସ୍ ୟୁନିଭର୍ସିଟି ଇନ୍ଷ୍ଟିଚ୍ୟୁଟ୍ ଫର୍ ୱାଟର୍ ଏନ୍ଭାଇରନ୍ମେଣ୍ଟ୍ ଆଣ୍ଡ୍ ହେଲ୍ଥ୍’ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଆଇକୁ ଚଳାଇବା ପାଇଁ ଦରକାର ହୁଏ ବିଶାଳ ହାର୍ଡୱେର୍ ନେଟେୱର୍କ, ସୁପର ଚିପ୍ସ୍ ଏବଂ ବଡ଼ ବଡ଼ ଡାଟା ସେଣ୍ଟର। ଆଉ ଏହି ଡାଟା ସେଣ୍ଟରର ଲକ୍ଷ ଲକ୍ଷ ସର୍ଭର ଯେତେବେଳେ ଦିନରାତି କାର୍ଯ୍ୟ ଜାରି ରଖି ଗରମ ହୋଇଯାଆନ୍ତି, ସେଗୁଡ଼ିକୁ ଥଣ୍ଡା ରଖିବା ପାଇଁ ପ୍ରଚୁର ପରିମାଣର ପାଣି ଏବଂ ବିଜୁଳି ଦରକାର ହୁଏ। ରିପୋର୍ଟ ଅନୁଯାୟୀ ଏଆଇର ଦ୍ରୁତ ସମ୍ପ୍ରସାରଣ ଯୋଗୁଁଁ ୨୦୩୦ ସୁଦ୍ଧା ପୃଥିବୀର ପ୍ରାୟ ୧୩୦ କୋଟି ଲୋକଙ୍କୁ ଆବଶ୍ୟକ ପରିମାଣର ଜଳ ମିଳିବାରେ ଅସୁବିଧା ସୃଷ୍ଟି ହୋଇପାରେ। ପାଣି ସହ ବିଦ୍ୟୁତ୍ର ମଧ୍ୟ ଅଭାବ ପରିଲକ୍ଷିତ ହେବା ଆଶଙ୍କା ରହିଛି। ରିପୋର୍ଟ ଅନୁସାରେ, ୨୦୩୦ ସୁଦ୍ଧା ଏହି ଏଆଇ-ଚାଳିତ ଡାଟା ସେଣ୍ଟରଗୁଡ଼ିକ ବାର୍ଷିକ ପ୍ରାୟ ୯୪୫ ଟେରାୱାଟ୍ ବିଦ୍ୟୁତ୍ ଶକ୍ତି ବ୍ୟବହାର କରିବେ। ପାକିସ୍ତାନ, ବାଂଲାଦେଶ ଏବଂ ନାଇଜେରିଆ ଭଳି ଦେଶ ଗୋଟିଏ ବର୍ଷରେ ମୋଟ୍ ଯେତିକି ବିଜୁଳି ବ୍ୟବହାର କରନ୍ତି, ଏଆଇ ଏକାକୀ ତା’ର ପ୍ରାୟ ୩ ଗୁଣା ଅଧିକ ବିଜୁଳି ଶକ୍ତି ବ୍ୟବହାର କରିବ। ଏଆଇ ମଡେଲକୁ ପ୍ରସ୍ତୁତ କରିବା ଅପେକ୍ଷା ଆମର ଦୈନନ୍ଦିନ ବ୍ୟବହାର ଯୋଗୁଁଁ ପରିବେଶ ଉପରେ ୮୦ରୁ ୯୦ ପ୍ରତିଶତ ଅଧିକ ଚାପ ପଡୁଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏଆଇ ବ୍ୟବହାର ସମୟରେ ଅଧିକ ସଚେତନ ରହିବାକୁ ପଡ଼ିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
Powered by Froala Editor