ଓଡ଼ିଶା ଆଗାମୀ କିଛିବର୍ଷ ଭିତରେ ଭାରତର ଇସ୍ପାତ୍ ରାଜଧାନୀ ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ
ସମ୍ବଲପୁର: ପ୍ରାକୃତିକ ସମ୍ପଦ, ମାନବ ସମ୍ବଳରେ ଓଡ଼ିଶା ବେଶ୍ ସମ୍ପନ୍ନ। ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ହେବାର ଲକ୍ଷ୍ୟ ରଖିଥିବାବେଳେ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ନେଇ କାର୍ଯ୍ୟ ଜାରିରଖିଛୁ। ଏହାର ମୂଳଦୁଆ ସ୍ବରୂପ ରାଜ୍ୟରେ ଶିଳ୍ପ ବିପ୍ଲବର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଯାହାକି ସବୁ ଦିଗରୁ ଓଡ଼ିଶାକୁ ସମୃଦ୍ଧ କରିବା ସହ ବିକଶିତ ଭାରତରେ ଓଡ଼ିଶାକୁ ଏକ ‘ଗ୍ରୋଥ୍ ଇଞ୍ଜିନ୍’ କରି ଗଢ଼ି ତୋଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ସମ୍ବଲପୁର ଜିଲା ଠେଲକୋଲୋଇ ସ୍ଥିତ ଜେଏସ୍ଡବ୍ଲ୍ୟୁ କାରଖାନା ପରିସରରେ ଜାପାନର େଜଏଫ୍ଇ ଷ୍ଟିଲ ଏବଂ ଜେଏସ୍ଡବ୍ଲ୍ୟୁ ଷ୍ଟିଲ ମଧ୍ୟରେ ଯୁଗ୍ମ ସହଭାଗିତା ଶୁଭାରମ୍ଭ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ଆଗାମୀ କିଛିବର୍ଷ ଭିତରେ ଭାରତର ଇସ୍ପାତ୍ ରାଜଧାନୀ ହେବାକୁ ଯାଉଛି। ରାଜ୍ୟରେ ପ୍ରତିବର୍ଷ ୪୦ ନିୟୁତ ଟନ୍ ଇସ୍ପାତ୍ ଉତ୍ପାଦନ ହେଉଥିବା ବେଳେ ଆସନ୍ତା ୫ ବର୍ଷରେ ଏହାକୁ ୧୦୦ ନିୟୁତ ଟନ୍ କରିବାକୁ ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ନିବେଶ ପାଇଁ ଏହା ଶ୍ରେଷ୍ଠ ସମୟ ବୋଲି ଆହ୍ବାନ ଦେଇଥିବାବେଳେ ଗତବର୍ଷ ଡିସେମ୍ବରରେ ଭୁବେନଶ୍ବରରେ ଆୟୋଜିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଏଥିରୁ ଅଦ୍ୟାବଧି ୨.୮ଲକ୍ଷ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ ହେଲାଣି। ଏଭଳି ଶିଳ୍ପ ବିକାଶ ଫଳରେ ଆଗାମୀ କିଛିବର୍ଷ ମଧ୍ୟରେ ଓଡ଼ିଶାରେ ୨.୫ ଲକ୍ଷ ରୋଜଗାର ସୃଷ୍ଟି ହେବାକୁ ଯାଉଛି ଏବଂ ସେଥିରୁ ଅଦ୍ୟାବଧି ୯୨ ହଜାର ନିଯୁକ୍ତି ସୃଷ୍ଟି ହୋଇସାରିଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜେଏସ୍ଡବ୍ଲ୍ୟୁ-ଜେଏଫ୍ଇ ଯୁଗ୍ମ ଉଦ୍ୟୋଗ ରାଜ୍ୟରେ ଇଲେକ୍ଟ୍ରିକାଲ ଷ୍ଟିଲ ଉତ୍ପାଦନ କରିବ। ଯାହାକି ଅତ୍ୟାଧୁନିକ ପାୱାର ସିଷ୍ଟମ ଓ ଇଲେକ୍ଟ୍ରିକ୍ ବାହନ ପାଇଁ ଉପଯୋଗୀ ହେବ।
ଏହି ଦୁଇ ଉଦ୍ୟୋଗ ଚାରିପାର୍ଶ୍ବରେ ଅନେକ ସହଯୋଗୀ କମ୍ପାନୀ ଗଢ଼ି ଉଠିବ। ଯାହାକି ଏମ୍ଏସ୍ଏମ୍ଇ ସେକ୍ଟର ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ଏଥିପାଇଁ ୧୫ଟି ସହଯୋଗୀ କମ୍ପାନୀ ପ୍ରସ୍ତାବ ଦେଇଛନ୍ତି, ତେବେ ୫ଟି କମ୍ପାନୀ କାମ ଆରମ୍ଭ କରିସାରିଲେଣି। ସେଥିରେ ରିଫ୍ରାକ୍ଟରିଜ୍, ଡିଷ୍ଟିଲେସନ୍ ଆଦି କମ୍ପାନୀ କାମ ଆରମ୍ଭ କଲେଣି। ଆମେ ଏକ ପ୍ରୋ-ଇଣ୍ଡଷ୍ଟ୍ରି ନୀତି ଆପଣାଇଛୁ। ଯା’ଫଳରେ ଆସନ୍ତା ୧୦ବର୍ଷ ଭିତରେ ଆମେ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ହାସଲ କରିପାରିବୁ। ସେହିପରି ଓଡ଼ିଶାର କୃଷିଭିତ୍ତିକ ଅର୍ଥନୀତିକୁ ମଜବୁତ୍ କରିବା ପାଇଁ ୨୦% ରପ୍ତାନୀ ଲକ୍ଷ୍ୟଧାର୍ଯ୍ୟ କରିଛୁ। ଆମେ ପୂର୍ବ ଭାରତର ମାନ୍ୟୁଫେକଚରିଂ ହବ୍ ଭାବେ ନିଜକୁ ପ୍ରତିଷ୍ଠା କଲେ ଏହା ସମ୍ଭବ ହୋଇପାରିବ। ଆମ ରାଜ୍ୟର ସମସ୍ତ ୩୦ ଜିଲାରେ ଶିଳ୍ପ ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛୁ, ଇତିମଧ୍ୟରେ ୨୪ ଜିଲାରେ ଶିଳ୍ପ ପ୍ରତିଷ୍ଠା କରିସାରିଲୁଣି। ରାଜଧାନୀ ଅଞ୍ଚଳ ଭଳି ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ବରଗଡ଼ ଏବଂ ଦେବଗଡ଼କୁ ନେଇ ‘ସମ୍ବଲପୁର ଗ୍ରୋଥ୍ କରିଡର’ ବିକଶିତ କରାଯିବ। ଏହି କରିଡରରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।ଆୟୋଜିତ ସମାରୋହରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହି ଜଏଣ୍ଟ ଭେନ୍ଚର୍ ଭାରତ ଓ ଜାପାନ ମଧ୍ୟରେ ଦୀର୍ଘକାଳୀନ ଶିଳ୍ପ ସହଯୋଗୀ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ଏହି ସମାରୋହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେଇଚି ଓନୋ ସମେତ ଜାପାନର ଅନ୍ୟାନ୍ୟ ଅଧିକାରୀ ଏବଂ ଜେଏସ୍ଡବ୍ଲ୍ୟୁ ଅଧିକାରୀ ଉପସ୍ଥିତ ଥିଲେ।
Powered by Froala Editor