୩୫,୦୦୦ କୋଟିର ନିବେଶ: POSCO-JSW ଓଡ଼ିଶାରେ କରିବେ ଷ୍ଟିଲ୍ ପ୍ଲାଣ୍ଟ
ଓଡ଼ିଶାରେ ବଡ଼ ନିବେଶ କରିବ JSW। POSCO ସହ ମିଶି ଢେଙ୍କାନାଳରେ ଷ୍ଟିଲ୍ ପ୍ଲାଣ୍ଟ କରିବ। ଏନେଇ ଦିଲ୍ଲୀରେ ଆୟୋଜିତ ଭାରତ-କୋରିଆ ବ୍ୟବସାୟିକ ଶିଖର ସମ୍ମିଳନୀରେ JSW ଓ ପୋସ୍କୋ ଭିତରେ ମିଳିତ ଚୁକ୍ତି ହୋଇଛି। ଉଭୟ କମ୍ପାନୀର ୫୦ ପ୍ରତିଶକ ଲେଖାଏଁ ଅଂଶଧନ ରହିବ। ଏଥିରେ ୩୫ ହଜାର କୋଟି ନିବେଶ ହେବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ ସରିଛି। ପୂର୍ବରୁ ଲାନକୋ ପାଇଁ ଅଧିଗ୍ରହଣ ହୋଇଥିବା ଢେଙ୍କାନାଳ ଜିଲ୍ଲା ଖଡଗ ପ୍ରସାଦ ଓ ଖୁରୁଣ୍ଟି ଗାଁ ଅଂଚଳରେ ହଜାର ଏକର ସରକାରୀ ଜମିରେ JSW ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ ସରକାର।
ଏହି କାରଖାନାରେ ମୁଖ୍ୟତଃ ଉଚ୍ଚମାନର ଫ୍ଲାଟ୍ ଷ୍ଟିଲ୍ ପ୍ରସ୍ତୁତ ହେବ। ଯାହାକି ଅଟୋମୋବାଇଲ୍ ଓ ଇଲେକ୍ଟ୍ରିକାଲ୍ ଭଳି ବିଶେଷ କ୍ଷେତ୍ରରେ ବ୍ୟବହାର କରାଯିବ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, JSW ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ POSCO ଅଧ୍ୟକ୍ଷ ଚାଙ୍ଗ ଇନ୍-ହ୍ୱାଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଢେଙ୍କାନାଳରେ ସ୍ଥାପନ ହେବ ବାର୍ଷିକ ୬ ମିଲିୟନ୍ ଟନ୍ କ୍ଷମତା ସମ୍ପନ୍ନ ବୃହତ ଷ୍ଟିଲ୍ ପ୍ଲାଣ୍ଟ। ୨୦୩୧ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି।
Powered by Froala Editor