ଫିକା ପଡ଼ି ନାହିଁ ଲୋକଙ୍କ ଆଗ୍ରହ, ଅକ୍ଷୟ ତୃତୀୟାରେ ୧୦୦ କୋଟିର ବେପାର
ଭୁବନେଶ୍ୱର: ବେଶ୍ ଚଢ଼ା ଦର ସତ୍ତ୍ବେ ଅକ୍ଷୟ ତୃତୀୟାରେ ସୁନା, ରୁପା ଗହଣା କିଣିବା ପାଇଁ ଲୋକଙ୍କ ଆଗ୍ରହ ଫିକା ପଡ଼ି ନାହିଁ। ସୁଖ, ସମୃଦ୍ଧି ଆଶାରେ ଗହଣା କିଣିବା ପାଇଁ ବଜାରରେ ବେଶ୍ ଗହଳି ଜମିଥିଲା। ବଲାଙ୍ଗିରରୁ ନେଇ ବାଲେଶ୍ବର, ଭୁବନେଶ୍ବରରୁ ନେଇ ଢେଙ୍କାନାଳ ପର୍ଯ୍ୟନ୍ତ ସବୁଠି ସମାନ ଚିତ୍ର ଦେଖିବାକୁ ମିଳିଥିଲା। ତେବେ ଗତକାଲି ତୁଳନାରେ ଅକ୍ଷୟ ତୃତୀୟାରେ ସୁନା ଦର ସାମାନ୍ୟ ହ୍ରାସ ପାଇଥିଲା। ୨୪ କ୍ୟାରେଟ୍ ସୁନା ୪୯୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୧ ଲକ୍ଷ ୫୫ ହଜାର ୨୯୦ ଟଙ୍କା ରହିଥିଲା। ସେହିପରି ୪୫୦ ଟଙ୍କା ଦର ହ୍ରାସ ସହ ୨୨ କ୍ୟାରେଟ୍ ସୁନା ଭରି ୧ ଲକ୍ଷ ୪୨ ହଜାର ୩୫୦ ଟଙ୍କା ଏବଂ ୩୭୦ ଟଙ୍କା ହ୍ରାସ ସହ ୧୮ କ୍ୟାରେଟ୍ ସୁନା ଭରି ୧ଲକ୍ଷ ୧୬ ହଜାର ୪୭୦ ଟଙ୍କା ରହିଥିଲା।
ତେବେ ଆଜି ରୁପା ଦର ଅପରିବର୍ତ୍ତିତ ୧୦ ଗ୍ରାମ୍ ମୂଲ୍ୟ ୨୮୦୦ ଟଙ୍କା ରହିଥିଲା। ଗତ ବର୍ଷ ଅକ୍ଷୟ ତୃତୀୟାରେ ସୁନା ଭରି ପିଛା ପ୍ରାୟ ୭୦ ହଜାର ଟଙ୍କା ରହିଥିଲା। ଏଥର ଦର ଦୁଇ ଗୁଣା ହୋଇଥିବାରୁ ସୁନା ବିକ୍ରି ପରିମାଣ ହ୍ରାସ ପାଇଥିବା କୁହାଯାଇଛି। ତଥାପି ଏଥର ୧୦୦ କୋଟିରୁ ଅଧିକ ବେପାର ହୋଇଥିବା ଅନୁମାନ କରାଯାଉଛି।
ଅକ୍ଷୟ ତୃତୀୟାରେ ସୁନା କିଣିଲେ, ଶୁଭଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି। ତେଣୁ ଲୋକେ ନିଜ କ୍ଷମତା ଅନୁସାରେ ସୁନା, ରୂପା କିଣୁଥିବା ଦେଖାଯାଇଥିଲା। ସେହିପରି କିଛି ଗ୍ରାହକ ହୀରା ଓ ରତ୍ନ ପଥର କିଣିବାକୁ ପସନ୍ଦ କରିଥିଲେ। ପ୍ରମୁଖ ଗହଣା ଦୋକାନରେ ମନଲୋଭା ଅଫର ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା।
Powered by Froala Editor