ମାଟ୍ରିମୋନିଆଲ୍ ସାଇଟ୍ରୁ ଦ୍ୱିତୀୟ ବିବାହ କରି ଫସିଲେ, ମହିଳା ନେଇଗଲେ ୪୦ ଲକ୍ଷ
ଦ୍ୱିତୀୟ ବିବାହ କରିବାର ଲାଳସା ଦେଖାଇ ଜଣେ ଯୁବତୀ ୪୦ ଲକ୍ଷ ଲୁଟି ନେଇଛି । ଟଙ୍କା ମାଗିବାରୁ ଆଉ ଧରାଛୁଆଁ ଦେଉନାହିଁ । ଶେଷରେ ଠକେଇର ଶିକାର ହୋଇଥିବା ବାଲେଶ୍ୱରର ବିସ୍ମିତ ରଞ୍ଜନ ଦାସ ଧଉଳି ଥାନାରେ ଅଭିଯୋଗ କରିଛନ୍ତି ।
୩୭ ବର୍ଷୀୟ ବିସ୍ମିତଙ୍କ ଘର ବାଲେଶ୍ୱର ଜିଲ୍ଳା, ଖନ୍ତାପଡା ସ୍ଥିତ ମହାରାଜପୁର ଗାଁରେ । ସେ ଭୁବନେଶ୍ୱରରେ ରହି ବ୍ୟବସାୟ କରୁଥିଲେ । ୨୦୨୩ରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଘର ଲୋକ ଦ୍ୱିତୀୟ ବିବାହ ପାଇଁ କହିଥିଲେ । ତେଣୁ ବିସ୍ମିତ ସାଦି ଡଟ୍ କମ୍ରେ ଏକ ଆଇଡି ଖୋଲିଥିଲେ । ସେଠାରେ ଭଦ୍ରକ ବାସୁଦେବପୁର ନଈଛଣପୁର ଗାଁରେ ହେମଲତା ଗିରି ଓରଫ ମିନି ନାମକ ଜଣେ ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସ୍ୱାମୀଙ୍କ ସହ ଛାଡ଼ପତ୍ର ପରେ ମିନି ଦ୍ୱିତୀୟ ବିବାହ ପାଇଁ ଇଚ୍ଛା ରଖିଛନ୍ତି ବୋଲି ବିସ୍ମିତଙ୍କୁ କହିଥିଲେ ।
୧୦ରୁ ୧୫ ଦିନ ମଧ୍ୟରେ ମିନି ତାଙ୍କୁ ବାହା ହେବାକୁ କହିଥିଲେ । ଏଥିରେ ବିସ୍ମିତ ରାଜି ହୋଇଥିଲେ । ବାହା ହେବା ପୂର୍ବରୁ ଉଭୟ ଶିଶୁପାଳଗଡ଼ ଶକ୍ତିନଗରରେ ଘର ଭଡ଼ା ନେଇଥିଲେ । ଘର ମାଲିକଙ୍କୁ ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇଥିଲେ । ବିସ୍ମିତଙ୍କ ଠାରୁ ବିଭିନ୍ନ ବାହାନାରେ ମିନି ଲକ୍ଷ ଲକ୍ଷ ଟଙ୍କା ମାଗି ନେଉଥିଲେ । ସେ ୩୫ରୁ ୪୦ ଲକ୍ଷ ଟଙ୍କା ନେଇ ସାରିଥିଲେ ।
କିଛି ଦିନ ତଳେ ବିସ୍ମିତ ଜାଣିବାକୁ ପାଇଲେ ଯେ, ମିନିଙ୍କ ବହୁ ଯୁବକଙ୍କ ସହିତ ସମ୍ପର୍କ ରହିଛି । ଏପରିକି ସେମାନଙ୍କ ଠାରୁ ସେ ୧୦ରୁ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି । ତା’ପରଠାରୁ ସେ ମିନି ଉପରେ ନଜର ରଖୁଥିଲେ । ଏହା ଜାଣିବା ପରେ ବିସ୍ମିତ ତାଙ୍କୁ ପଚାରିବା ସହ ଟଙ୍କା ଫେରସ୍ତ ମାଗିଥିଲେ । ଏଥିରେ ମିନି ରାଗି ଦୁଷ୍କର୍ମ ମାମଲାରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ । କିଛି ଉପାୟ ନ ପାଇ ବିସ୍ମିତ ଧଉଳି ଥାନାରେ ଏତଲା ଦେଇଛନ୍ତି ।
Powered by Froala Editor