ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ
ଗୁରୁବାର ଆମେରିକାର ନେଭାଡା (୫.୭ ତୀବ୍ରତା) ଓ କାଲିଫର୍ନିଆ (୪.୯ ତୀବ୍ରତା) ସମେତ ଇଣ୍ଡୋନେସିଆର ଉତ୍ତର ଭାଗରେ ୭.୪ ତୀବ୍ରତାର ସାମୁଦ୍ରିକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂପୃଷ୍ଠର ମାତ୍ର କିଛି କିଲୋମିଟର ଗଭୀରତାରେ ଏହି କମ୍ପନ କେନ୍ଦ୍ରୀଭୂତ ଥିବାରୁ ଉଭୟ ରାଷ୍ଟ୍ରରେ ଅଟ୍ଟାଳିକାଗୁଡ଼ିକ ଦୋହଲି ଯାଇଥିବା ସୂଚନା ମିଳିଛି। ଇଣ୍ଡୋନେସିଆରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ଏବଂ ଏକ କ୍ଷୁଦ୍ର ସୁନାମି ମଧ୍ୟ ସୃଷ୍ଟି ହୋଇଛି।
ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ୧ଟା ୪୧ ମିନିଟରେ ହୋଇଥିବା ଏହି କମ୍ପନ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା, ଭୟଭୀତ ଲୋକେ ନିଜ ଘର ଛାଡ଼ି ସୋସିଆଲ ମିଡିଆରେ ନିଜର ଆତଙ୍କିତ ଅନୁଭୂତି ବର୍ଣ୍ଣନା କରିଛନ୍ତି। ଆମେରିକାରେ ଅନୁଭୂତ ଏହି ଝଟକା ସାନ୍ ଜୋସ୍ ଓ ସିଲଭର୍ ସ୍ପ୍ରିଙ୍ଗସ୍ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ଖେଳାଇ ଦେଇଛି। ବିଶେଷ କରି କାଲିଫର୍ନିଆର ବୋଲଡର୍ କ୍ରିକ ନିକଟରେ ସୃଷ୍ଟ ୪.୯ ତୀବ୍ରତାର ଭୂମିକମ୍ପ ଯୋଗୁଁ ଲୋକେ ୨୦୧୦ ପରଠାରୁ ସବୁଠାରୁ ଶକ୍ତିଶାଳୀ କମ୍ପନ ଅନୁଭବ କରିଥିବା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଇଣ୍ଡୋନେସିଆର ମୋଲୁକ୍କା ସାଗରରେ ସୃଷ୍ଟ ୭.୪ ତୀବ୍ରତାର ଭୂକମ୍ପ ସବୁଠାରୁ ଅଧିକ ବିଭୀଷିକା ରଚିଛି। ଅନେକ ଘର ଓ ଧର୍ମାନୁଷ୍ଠାନ ଧରାଶାୟୀ ହୋଇଛି। ବିଶ୍ୱର ଦୁଇ ପ୍ରମୁଖ ପ୍ରାନ୍ତରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ବ୍ୟାପକ କ୍ଷୟକ୍ଷତି ଘଟାଇଛି।
Powered by Froala Editor