ବିଦ୍ୟୁତ୍ ବିଲ୍ ବକେୟା ଥିଲେ କଟିବନି ବିଦ୍ୟୁତ୍ ସଂଯୋଗ
ଖରାଦିନେ ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ କଟିବନି ବିଦ୍ୟୁତ୍ ସଂଯୋଗ । ଏ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକମାନେ ଆଶ୍ୱସ୍ତି ପାଇପାରିବେ। ଏହି ସମସ୍ତ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଏବଂ ସମୀକ୍ଷା କରି ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବିଲ୍ ପୈଠ ନ କରିବା କାରଣରୁ କୌଣସି ବି ଡିସ୍କମ୍ ଦ୍ୱାରା ଘରୋଇ ଗ୍ରାହକଙ୍କ ଅଘୋଷିତ ବିଦ୍ୟୁତ୍ କାଟ କରାଯାଇପାରିବ ନାହିଁ । କେବଳ ଅତ୍ୟାବଶ୍ୟକ ମରାମତି କିମ୍ବା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସାମୟିକ ଭାବେ ବିଦ୍ୟୁତ୍ କାଟ୍ ହୋଇପାରିବ। ଏହି ସମସ୍ତ ପୂର୍ବ ନିର୍ଦ୍ଧାରିତ ବିଦ୍ୟୁତ୍ କାଟ ବିଷୟରେ ଗ୍ରାହକମାନଙ୍କୁ ଏସ୍ଏମ୍ଏସ୍ ଆଲର୍ଟ ଏବଂ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ମାଧ୍ୟମରେ ଆଗୁଆ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି।
ଏହି ଘୋଷଣାର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଏକ ଦୃଢ଼ ମନିଟରିଂ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ନିର୍ଦ୍ଦେଶ ଦେଇଛନ୍ତ। ଶକ୍ତି ବିଭାଗ ଏବଂ ଡିଷ୍ଟ୍ରିବ୍ୟୁଶନ କମ୍ପାନୀଗୁଡିକୁ ସେମାନଙ୍କ କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ବିଷୟରେ ଅବଗତ କରାଇବାକୁ ଅନୁରୋଧ କରିଛନ୍ତି।
Powered by Froala Editor