ମୁକ୍ତିଲାଭ ପୂର୍ବରୁ ଲିକ୍ ହେଲା ‘ଜନ ନାୟକନ’
ତାମିଲ ସୁପରଷ୍ଟାର୍ ବିଜୟଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜନ ନାୟକନ୍’ ମୁକ୍ତିଲାଭ କରିବା ପୂର୍ବରୁ ଇଣ୍ଟର୍ନେଟ୍ରେ ଲିକ୍ ହୋଇଯାଇଛି। ଏହାର ପ୍ରତିକ୍ରିୟାରେ ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିବା କଥା ପ୍ରକାଶ କରିଛନ୍ତି। ଦର୍ଶକଙ୍କୁ ଏହି ଚଳଚ୍ଚିତ୍ର ଡାଉନ୍ଲୋଡ୍ କରିବା ଓ କାହାକୁ ତା’ର ଲିଙ୍କ୍ ପଠାଇବାରୁ ବିରତ ରହିବା ପାଇଁ ନିବେଦନ କରାଯାଇଛି।
ଥାଲାପତି ବିଜୟଙ୍କ ଫିଲ୍ମ ଜନ ନାୟକନର ଅନଲାଇନ ଲିକ୍ ଉପରେ କଡ଼ା ଆଭିମୁଖ୍ୟ ରଖିଛନ୍ତି କମଲ ହାସନ। ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରି ସେ ପାଇରେସିକୁ କେବଳ ଏକ ଦୁର୍ଘଟଣା ନୁହେଁ ବରଂ ସମଗ୍ର ବ୍ୟବସ୍ଥାର ବିଫଳତା ବୋଲି କହିଛନ୍ତି। ହାସନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେନ୍ସର ପ୍ରମାଣପତ୍ରରେ ଅନାବଶ୍ୟକ ବିଳମ୍ବ ଏପରି ଘଟଣାକୁ ପ୍ରୋତ୍ସାହିତ କରିଛି।
ଗୁରୁବାର ରାତିରେ ବିଭିନ୍ନ ପାୟରେସି ୱେବ୍ସାଇଟ୍ରେ ଏହି ଚଳଚ୍ଚିତ୍ରର ଏଚ୍ଡି ସଂସ୍କରଣ ପ୍ରସାରିତ ହେବା ଆରମ୍ଭ କରିଥିଲା। ୪୦୦-୫୦୦ କୋଟି ଟଙ୍କାର ବଜେଟ୍ରେ ନିର୍ମିତ ଏହି ଚଳଚ୍ଚିତ୍ର ଏବେ ଏହି ଲିକ୍ ଯୋଗୁଁ ଅନେକ କ୍ଷତି ସହିବା ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏହାକୁ ଲିକ୍ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବା ଆବଶ୍ୟକ ବୋଲି ଚିରଞ୍ଜୀବୀ, ଖୁସବୁ ସୁନ୍ଦର, ଶିବକାର୍ତ୍ତିକେୟନଙ୍କ ଭଳି ତାରକା ପ୍ରକାଶ କରିଛନ୍ତି। ‘ଜନ ନାୟକନ୍’ ଚଳଚ୍ଚିତ୍ରରେ ବବି ଦେଓଲ, ପ୍ରକାଶ ରାଜ, ପୂଜା ହେଗଡ଼େ, ମମିତା ବୈଜୁ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି।
Powered by Froala Editor