ଯୁବକ ତଣ୍ଟିରେ ଫସିଗଲା କଉ ମାଛ
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ମାଛ ଗିଳି ଦେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମର ଶିବ ଚରଣ ବିଜୁଳିଙ୍କ ପୁଅ ଅବିନାଶ ବିଜୁଳି(୨୬) ।
ଅବିନାଶ ଶୁକ୍ରବାର ଦିନ ପୋଖରୀରୁ ମାଛ ଧରିବାକୁ ଯାଇଥିଲେ । ସେଠାରେ କଣ୍ଟା ଥିବା ଏକ କଉ ମାଛକୁ ପାଟିରେ ରଖି ମାରିବାକୁ ଚେଷ୍ଟା କରୁଥିବା ବେଳେ ମାଛଟି ହଠାତ୍ ତଣ୍ଟିରେ ଫଶିଯାଇଥିଲା । ଫଳରେ ସେ ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ବାଙ୍ଗିରିପୋଷି ସିଏଚସିକୁ ଆଣିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ପରିବାର ଲୋକ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ କିଛି ସମୟ ଧରି ଡାକ୍ତରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଡାକ୍ତର ଜଣକ ଚିକିତ୍ସାରେ ବିଳମ୍ବ କଲେ ବୋଲି ମୃତକଙ୍କ ବାପା ଡାକ୍ତରଙ୍କ ବିରୋଧରେ ବାଙ୍ଗିରିପୋଷି ଥାନାରେ ଏତଲା ଦେଇଛନ୍ତି । ଏନେଇ ବାଙ୍ଗିରିପୋଷି ଥାନାରେ ମାମଲା ରୁଜୁ ହୋଇଛି । ଡାକ୍ତର ଜଣକ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରାଯାଇଥବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।
Powered by Froala Editor