ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ଆରମ୍ଭ ହେବ
ମହାପ୍ରଭୁଙ୍କର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ଆରମ୍ଭ ହେବ। ସେଥିପାଇଁ ସରିଛି ପ୍ରସ୍ତୁତି, ଏସଓପି ଅନୁସାରେ ଗଣତି ପାଇଁ ହୋଇଛି ଟ୍ରେନିଂ। ସେପଟେ ଅଳଙ୍କାର ଗଣତି ପାଇଁ ଓଜନ ମେସିନ୍ ବି ଶ୍ରୀମନ୍ଦିର ପ୍ରଶାସନ ଆଣିଛି। ଶ୍ରୀଜୀଉଙ୍କର ଭିନ୍ନ ଭିନ୍ନ ରତ୍ନ ଅଳଙ୍କାର ସବୁର ଓଜନ କରାଯିବ। ମାପରେ କେତେ ଓଜନ ହେଲା ତାର ଟ୍ୟାଗ୍ କରାଯାଇ ଗହଣା ସହ ଲାଗିବ।
୧୯୭୮ ମସିହାର ତାଲିକା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଠାକୁରଙ୍କର ୭୪୭ ପ୍ରକାରର ଅଳଙ୍କାର ରହିଛି। ଯେଉଁଥିରେ ୧୨ହଜାର ୮୩୮ ଭରି ସୁନା ଓ ୨୨ହଜାର ୧୫୩ ଭରି ରୁପା ଅଳଙ୍କାର ଥିବା ଦର୍ଶାଯାଇଛି। କେବଳ ଭିତର ଭଣ୍ଡାରରେ ୩୬୭ ପ୍ରକାରର ଅଳଙ୍କାର ରହିଛି।
ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗଣତିମଣତି ପାଇଁ ମାହେନ୍ଦ୍ର ବେଳା ଧାର୍ଯ୍ୟ ହୋଇଛି ମଧ୍ୟାହ୍ନ ୧୨ଟା ୯ ରୁ ୧ଟା ୪୫। ଏହି ଗଣତିମଣତି ପାଇଁ ଗଠିତ ଦୁଇଟି କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ରତ୍ନ ଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ। ୧୯୭୮ ମସିହାର ଗଣତିମଣତି ପୂର୍ଣ୍ଣାଙ୍ଗ ତାଲିକା ରହିଛି। ଏହି ତାଲିକା ସହ ମେଳକ ହେବ। ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ୍ କପଡ଼ାରେ ଗୁଡ଼ାଯାଇ ଟିଣ ବାକ୍ସରେ ରଖାଯିବ। ପରେ ତାକୁ ସିନ୍ଦୁକରେ ରଖାଯିବ। ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ କପଡ଼ାରେ ଗୁଡ଼ା ଯାଇ ରଖାଯିବ। ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ। ତେବେ ବିଶେଷ ଦିନ, ପର୍ବପର୍ବାଣି, ଶନିବାର ଓ ରବିବାର ଗଣତିମଣତି ହେବନାହିଁ। ଗଣତିମଣତି ଦିନ ଭକ୍ତମାନେ ବାହାରକାଠରୁ ଦର୍ଶନ କରିବେ।
Powered by Froala Editor