ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା
ବ୍ୟାଙ୍କ ଠକେଇ ମାମଲାରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଜେରା କରିଛି । ତାଙ୍କୁ ଦୁଇଦିନ ଜେରା କରାଯିବ ବୋଲି ଜଣାପଡ଼ିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଅଭିଯୋଗ ଆଧାରରେ ତାଙ୍କୁ ଜେରା କରାଯାଉଛି ।
ଗୁରୁବାର ଅନିଲ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବର୍ତ୍ତମାନ ବନ୍ଦ ହୋଇଯାଇଥିବା ତାଙ୍କ ଟେଲିକମ୍ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ପାଇଁ ନିଆଯାଇଥିବା ଋଣ ବୁଝିଯିବା ପରେ ସେ ସେହି ପାଣ୍ଠିକୁ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ରହିଛି । କିଛି ଦିନ ପୂର୍ବେ ତାଙ୍କ ବଡ଼ ପୁଅ ଜୟ ଅନମୋଲ ଅମ୍ବାନୀଙ୍କୁ ସିବିଆଇ ଛଅ ଘଣ୍ଟା ଜେରା କରିଥିଲା ।
ସିବିଆଇ ଅଭିଯୋଗ କରିଛି ଯେ ରିଲାଏନ୍ସ କମ୍ୟୁନିକେସନୁ ନାଁରେ ନିଆଯାଇଥିବା ଋଣକୁ ଅନିଲ ଅନ୍ୟତ୍ର ବ୍ୟବହାର କରିଥିଲେ । ଅନିଲଙ୍କ ବିରୋଧରେ ଥିବା ମନି ଲଣ୍ଡରିଂ ମାମଲାଗୁଡ଼ିକର ତଦନ୍ତ ଇଡି କରୁଥିବା ବେଳେ ତାଙ୍କର ୧୫୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି । ଅନିଲଙ୍କ ପ୍ରବକ୍ତା କହିଛନ୍ତି ଯେ ତଦନ୍ତ ମାମଲାରେ ଅନିଲ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିବଦ୍ଧ ରହିଛନ୍ତି ।
Powered by Froala Editor