ଦୁଇ ଦିନରେ ଦୁଇ ଘରୁ ଚୋରି
କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଲୁଟ୍ ହୋଇ ଚାଲିଛି । ଦୁଇଦିନ ଭିତରେ ଦୁଇଟି ଲୁଟ୍ ପୁଲିସ ନିଦ ହଜାଇ ଦେଇଛି । ଗତ ମଙ୍ଗଳବାର ସୁଲଣ ଗାଁ ନିକଟରୁ ମଧୁସୂଦନ ଜେନାଙ୍କ ଘରୁ ଲୁଟ୍ ହୋଇଥିଲା । ମଧୁସୂଦନ ଶିକ୍ଷକ ହୋଇଥିବାରୁ ସେ ସ୍କୁଲ ଯିବାପରେ ତାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ନଗଦ ଦେଢ଼ ଲକ୍ଷ ଟଙ୍କା ସହ ୪ ଭରି ଓଜନର ସୁନା ଅଳଙ୍କାର ଚୋରି କରି ନେଇଥିଲେ । ପୁଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ ବି ଲୁଟେରାଙ୍କ ସମ୍ପର୍କରେ ସନ୍ଧାନ ପାଇ ପାରିନି ।
ବୁଧବାର ଶାସଙ୍ଗ ଗ୍ରାମର ହେମନ୍ତ ସ୍ୱାଇଁଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଚୋରମାନେ ତାଙ୍କ ସାନଭାଇଙ୍କ ରୁମରେ କେହି ରହୁ ନଥିବା ସୁଯୋଗ ନେଇ ତାଙ୍କ ଝରକା ଗ୍ରୀଲ ତାଡି ଘର ଭିତରେ ପଶିଥିଲେ । ଗୋଟିଏ ସୁନାଚେନ, ଦୁଇଟି କାନଫୁଲ, ଚାରୋଟି ମୁଦି, ଦୁଇହଳ ରୁପାର ପାଉଁଜି, ଗୋଟିଏ ରୁପା ଥାଳିଆ, ରୁପା ତାଟିଆ, ରୁପା ଚାମଚ ନେଇ ଯାଇଥିବାବେଳେ ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷରୁ ଊର୍ଦ୍ଧ୍ୱ ହେବ । ଭିତରପଟୁ କବାଟ ବନ୍ଦ ଥିବା ଦେଖିବା ପରେ ପରିବାର ଲୋକେ ଚୋରି ସମ୍ପର୍କରେ ଜାଣିଥିଲେ । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବାପରେ ନନ୍ଦିପଦା ପୁଲିସ ତଦନ୍ତ ଆରମ୍ଭ କରିଛି ।
Powered by Froala Editor