ପେଗାସସ୍ ସ୍ପାଇୱେୟାର ଟାର୍ଗେଟରେ ବେଙ୍ଗଲର ଅନେକ ଲୋକ, ତଦନ୍ତ ନିର୍ଦ୍ଦେଶ ଦେଲେ ମମତା

ପେଗାସସ୍ ସ୍ପାଇୱେୟାର ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ରହିଥିବା ରିର୍ପୋଟ ପ୍ରକାଶ ପାଇଥିଲା । ଏହାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂରା ଘଟଣାର ତଦନ୍ତ ପାଇଁ ସେ ଗୋଟିଏ କମିଟି ଗଠନ କରିଛନ୍ତି । ଏଥିରେ ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ଜ୍ୟୋର୍ତିମୟ ଭଟ୍ଟାଚାର୍ଯ୍ୟ ଓ ଜଷ୍ଟିସ ମଦନ ବି ଲୁକୁର ରହିଛନ୍ତି। ସେମାନେ ଏହି ଘଟଣା ଉପରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ। ଏହି ତାଲିକାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାହୁଲ ଗାନ୍ଧି, ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ, ଅନୀଲ ଅମ୍ବାନୀ, ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ପୂର୍ବତନ ନିର୍ବାଚନ କମିଶନ ଅଶୋକ ଲାଭସାଙ୍କ ଭଳି ବ୍ୟକ୍ତିମାନଙ୍କ ଫୋନ ନମ୍ବର ରହିଥିବା ଜଣାପଡ଼ିଛି। ବିରୋଧୀ ପୂରା ଘଟଣାର କୋର୍ଟ ଦ୍ୱାରା ତଦନ୍ତ କରିବାକୁ ଦାବି କରିଥିବା ବେଳେ ସରକାର ଏହାକୁ ଅଗ୍ରାହ୍ୟ କରି ଚାଲିଥିଲେ। ହେଲେ ଦେଶର ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ସରକାର ଏହି ପେଗାସସ୍ ଘଟଣାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମମତା କହିଛନ୍ତି, ଏହି ପେଗାସସ୍ ଦୁର୍ନୀତି ଖବର ପରେ ଆମେ ଭାବିଥିଲୁ ଯେ କେନ୍ଦ୍ର ସରକାର ଗୋଟିଏ ତଦନ୍ତ କମିଶନ କିମ୍ବା କୋର୍ଟ ଦ୍ୱାରା ତଦନ୍ତ କରିବେ। କିନ୍ତୁ କେନ୍ଦ୍ର ସରକାର ଚୁପ ବସିଛନ୍ତି। ଏହି କାରଣରୁ ଆମେ ପୂରା ଘଟଣା ପାଇଁ ତଦନ୍ତ କମିଶନ ଗଠନ କରିଛୁ। ସୂଚନାଯୋଗ୍ୟ, ପେଗାସସ୍ ଦ୍ୱାରା ଭାରତର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ, ତିନି ଜଣ ବିରୋଧୀଦଳ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ଗୁଇନ୍ଦାଗିରି କରାଯିବାକୁ ଥିବା ବା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏମାନଙ୍କ ବ୍ୟତୀତ କିଛି ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଫୋନ ନମ୍ବର ମଧ୍ୟ ସମ୍ଭାବ୍ୟ ହ୍ୟାକିଂ ତାଲିକାରେ ରହିଛି।
ଜଣେ ବ୍ୟକ୍ତିଙ୍କ ଫୋନ୍ ତଥ୍ୟ ଖୋଳିତାଡ଼ି ବାହାର କରିବାରେ ଏହି ପେଗାସସ୍ ସ୍ପାଇୱେୟାର ସକ୍ଷମ। ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଏନଏସ୍ଓ କହିଛି ଯେ ସଂସ୍ଥା କେବଳ ବିଭିନ୍ନ ଦେଶର ସରକାରଙ୍କୁ ପେଗାସସ୍ ବିକ୍ରି କରିଥାଏ। ତେଣୁ ଭାରତ ସରକାର ଏହାକୁ କିଣିଛନ୍ତି କି ନାହିଁ, ପ୍ରଥମେ ସେକଥା ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ପେଗାସସ୍ ଦ୍ୱାରା ବେଙ୍ଗଲର ଅନେକ ଲୋକଙ୍କ ଫୋନକୁ ଟ୍ୟାପ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
Powered by Froala Editor