ଆରମ୍ଭ ହେଲା ବିରଳ ଅଲିଭ ରିଡ୍ଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା
ଗଞ୍ଜାମ:ଗଞ୍ଜାମ ଜିଲାର ପୁରୁଣାବନ୍ଦ ନିକଟ ଋଷିକୁଲ୍ୟା ମୁହାଣ ଅଞ୍ଚଳ ବେଳାଭୂମିରେ ଚଳିତ ବର୍ଷ ବିରଳ ଅଲିଭ ରିଡ୍ଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦ୍ରରେ ହଜାର ହଜାର କିମି ଅତିକ୍ରମ କରି କଇଁଛମାନେ ଅଣ୍ଡାଦେବାକୁ ଗଞ୍ଜାମର ବେଳାଭୂମିକୁ ଆସିଛନ୍ତି। ପ୍ରଥମ ଦିନ ପ୍ରାୟ ୧୦,୨୦୦ କଇଁଛ ଅଣ୍ଡା ଦେଇ ସମୁଦ୍ରକୁ ଫେରି ଯାଇଥିବା ସୂଚନା ମିଳିଛି। ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ବିଶେଷଜ୍ଞଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l
ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ବେଳାଭୂମି ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନର ଅନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗତ ନଭେମ୍ବର ମାସରୁ ଅଲିଭ ରିଡ୍ଲେ କଇଁଛଙ୍କ ମିଳନ ପ୍ରକ୍ରିୟା ଚାଲୁ ରହିଥିଲା । ବର୍ତ୍ତମାନ ଦକ୍ଷିଣା ପବନ ବହିବା ସହ ଓ ଅନୁକୂଳ ପାଗ ଯୋଗୁଁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଇଁଛମାନେ ସମୁଦ୍ରରୁ ବେଳାଭୂମି ଉପରକୁ ଉଠିଆସି ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବିରଳ ପ୍ରଜାତିର କଇଁଛ ମାନେ ବେଳାଭୂମି ଉପରକୁ ଉଠି ଆସିବା ପରେ ଗୋଡ଼ରେ ବାଲିରେ ଗାତ କରି ଅଣ୍ଡାଦାନ କରିବା ସ୍ଥାନକୁ ବାଲିରେ ଘୋଡ଼ାଇ ଦେଇ ନିଜ ଶରୀର ସାହାଯ୍ୟରେ ଅଣ୍ଡା ଥିବା ସ୍ଥାନକୁ ବାଡେଇ ଶକ୍ତ କରିଦେବା ପରେ ପୁଣି ସମୁଦ୍ର ମଧ୍ୟକୁ ଚାଲିଯାଇଥାନ୍ତି ।
ଗତ ବର୍ଷ ଦୁଇଟି ପର୍ଯ୍ୟାୟରେ କଇଁଛ ଅଣ୍ଡା ଦେଇଥିଲେ। ଗତବର୍ଷ ୬ଲକ୍ଷ ୯୮ ହଜାର ୭୧୮ ସାମୂହିକ ଅଣ୍ଡାଦାନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦୁଇ ଦିନରେ ୭୮ ହଜାର ୩୦୦ କଇଁଛ ଅଣ୍ଡା କରିଥିଲେ। ଚଳିତ ବର୍ଷ ଗତ ବର୍ଷ ଠାରୁ ଅଧିକ ସଂଖ୍ୟକ ଅଣ୍ଡାଦାନ ହେବ ବୋଲି ଆଶା କରାଯାଉଛି ।
Powered by Froala Editor