ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କଲେ ସରକାର
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଦେଶରେ ରନ୍ଧନ ଗ୍ୟାସ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି। ସରକାର ଇତିିମଧ୍ୟରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୬୦ ଟଙ୍କା ବୃଦ୍ଧି କରିସାରିଥିବାବେଳେ ବୁକିଂ ନିୟମରେ ପରିବର୍ତ୍ତନ କରିଛନ୍ତିି। ଏହାସତ୍ତ୍ବେ ଗ୍ୟାସ୍ ସିଲିଣ୍ଡର ଯୋଗାଣରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ରନ୍ଧନ ଗ୍ୟାସ୍ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ସରକାର ଏସ୍ମା (ଅତ୍ୟାବଶ୍ୟକ ସାମଗ୍ରୀ ଆଇନ) ଲାଗୁ କରିଛନ୍ତି। ଏଥିସହିତ ଘରୋଇ ଏଲପିଜି ଉତ୍ପାଦନ ଯେପରି ସର୍ବାଧିକ ହୋଇପାରିବ, ସେଥିପାଇଁ ସରକାର ତୈଳ ବିଶୋଧନାଗାର ଏବଂ ପେଟ୍ରୋକେମିକାଲ୍ସ ଯୁନିଟଗୁଡିକୁ ନିର୍ଦେଶ ଦେଇଛନ୍ତି। ପୁନଶ୍ଚ ଏଲପିଜି ଉତ୍ପାଦନ ପାଇଁ ଅଧିକ ପରିମାଣରେ ହାଇଡ୍ରୋକାର୍ବନ ସିଷ୍ଟମ ବ୍ୟବହାର କରିବାକୁ ମଧ୍ୟ ତୈଳ କମ୍ପାନୀଗୁଡିକୁ କୁହାଯାଇଛି।
ମାର୍କେଟରେ ଯେପରି ଏଲପିଜି ସିଲିଣ୍ଡର ଶହେ ପ୍ରତିଶତ ଉପଲବ୍ଧ ହୋଇପାରିବ, ସେଥିପ୍ରତି ଅଗ୍ରାଧିକାର ଦେବାକୁ ସରକାର କଡା ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ସାର କାରଖାନାଗୁଡିକୁ ଯୋଗାଇ ଦିଆଯାଉଥିବା ପ୍ରାକୃତିକ ଗ୍ୟାସ୍ ପରିମାଣ ୭୦ ପ୍ରତିଶତରେ ସୀମିତ ରଖିବାକୁ କୁହାଯାଇଛି। ଚାହା ଶିଳ୍ପ, କଳ କାରଖାନା ଏବଂ ଅନ୍ୟ ଶିଳ୍ପୋଦ୍ୟୋଗକୁ ପାଇପ୍ ଲାଇନ ଜରିଆରେ ଯୋଗାଣ କରାଯାଉଥିବା ଗ୍ୟାସ ପରିମାଣକୁ ୮୦ ପ୍ରତିଶତ ଏବଂ ଏଲଏନ୍ଜି ଯୋଗାଣକୁ ୬୦ ପ୍ରତିଶତରେ ସୀମିତ ରଖିବାକୁ ନିର୍ଦେଶ ଦିଆଯାଇଛି।
Powered by Froala Editor