ମାଓବାଦୀଙ୍କୁ ବଳ ଯୋଗାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରୁଛି ଏନ୍ଆଇଏ
ଭୁବନେଶ୍ବର:ଓଡ଼ିଶାରେ ଇତିହାସ ପାଲଟିବେ ମାଓବାଦୀ। ଲିଭୁଛି ଲାଲଗଡ଼ର କାଳିମା। ମାଓଗଡ଼ରେ ବିକାଶର ଇଞ୍ଜିନ ଦ୍ରୁତଗତିରେ ଚାଲୁଥିବାରୁ ଦୁର୍ଗ ଭୁଶୁଡ଼ିଛି। ସେପେଟ ମାଓବାଦୀଙ୍କ ଦ୍ବାରା ଓଡ଼ିଶାରେ ଚାଲୁଥିବା ଷଡ଼ଯନ୍ତ୍ରର ଗୁମର ଖୋଲୁଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ)। ମାଓବାଦୀଙ୍କୁ ପାଣ୍ଠି ଯୋଗାଉଥିଲେ କିଛି ପ୍ରଭାବଶାଳୀ ବ୍ୟକ୍ତି। ସେମାନଙ୍କ ପ୍ରରୋଚନାରେ କିଛି ଜିଲାରେ ଚାଲୁଥିଲା ମାଓବାଦୀଙ୍କ ପ୍ରଜାମେଳି। ଟଙ୍କା ନେଇ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଦି କିଣିବା ସହ ସୁରକ୍ଷାକର୍ମୀଙ୍କୁ କଡ଼ା ଜବାବ ଦେଉଥିଲେ। ମାଓ ସମର୍ଥକ(ମିଲିସିଆ)ଙ୍କୁ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ଘରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ।
ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ଆରମ୍ଭ ହେଲେ ମିଲିସିଆଙ୍କ ଜରିଆରେ ଏହି ଅସ୍ତ୍ରଶସ୍ତ୍ର ଆଣୁଥିଲେ। ସେଭଳି ଠିକାଦାର, ଲିଜ୍ ଖଣି ମାଲିକ, ଗଞ୍ଜେଇ ମାଫିଆ, କେତେକ ସରକାରୀ କର୍ମଚାରୀ ମାଓବାଦୀଙ୍କୁ ପାଣ୍ଠି ଯୋଗାଉଥିଲେ। ସେମାନଙ୍କୁ ଭୟଭୀତ କରାଇ ମିଲିସିଆଙ୍କ ଜରିଆରେ ଟଙ୍କା ଆଦାୟ କରୁଥିଲେ। ବଡ଼ ଧରଣର ମାଓ ହିଂସାକାଣ୍ଡରେ ସମ୍ପୃକ୍ତି ଥିବା ମାଓବାଦୀ ବିଶୁ ସିଂକୁ ରିମାଣ୍ଡରେ ନେଇ ପଚରାଉଚରା ବେଳେ ଏଭଳି ଗୁରୁତର ତଥ୍ୟ ସାମ୍ନାକୁ ଆସିଛି। ମାଓବାଦୀଙ୍କୁ ବଳ ଯୋଗାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ଏନ୍ଆଇଏ। ସମସ୍ତଙ୍କ ଭୂମିକାକୁ ନେଇ ତଦନ୍ତ ଚାଲୁଛି। ସେପେଟ ବିଶୁ ନିଜ ଗଁାର ୨୨ଜଣଙ୍କୁ ନେଇ ମାଓ ସଂଗଠନରେ ମିଶାଇ ଥିଲା। ଟଙ୍କା ଓ ଘରର ଲୋଭ ଦେଖାଇ ମାଓବାଦୀଙ୍କ ସହ ମିଶାଇବା ପରେ ଅତ୍ୟାଚାର କରିଥିଲା। ପରେ ସେମାନେ ମାଓବାଦୀଙ୍କ ହାତ ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିଲେ। ମାଓବାଦୀଙ୍କ ଖବରଦାତା ଓ ମାଓ ହିଂସାକାଣ୍ଡରେ ବିଶୁ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ବିଶୁକୁ ହେପାଜତରେ ରଖି ଭବିଷ୍ୟତ ଓ ଅତୀତ କାର୍ଯ୍ୟପନ୍ଥା ସହ ବିଭିନ୍ନ ଦିଗରୁ ତନାଘନା ଜାରି ରହିଛି।
ଅନୁରୂପ ଭାବେ ଝାଡ଼ଖଣ୍ଡ ମାଓନେତା ଅନ୍ମୋଲ ଦା ଓରଫ ସମର ଓରଫ ଲାଲଚାନ୍ଦ ହେମ୍ବ୍ରମକୁ ନିଶାଣ କରିଛି ଏନ୍ଆଇଏ। ସେ ଛତିଶଗଡ଼ ଓ ଓଡ଼ିଶା ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଛି। ଅନୁରୂପ ଭାବେ ଯୁବବର୍ଗ ଓ ମହିଳାଙ୍କୁ ମାଓ ଦଳରେ ନିଯୁକ୍ତି, ମହିଳା ମାଓବାଦୀଙ୍କୁ ଅତ୍ୟାଚାର ଭଳି ସଙ୍ଗିନ ମାମଲାରେ ଲାଲଚାନ୍ଦ ଜଡ଼ିତ ରହିଛି। ଲାଲଚାନ୍ଦ ମୁଣ୍ଡ ଉପରେ କୋଟିଏ ଟଙ୍କାରୁ ଅଧିକ ପୁରସ୍କାର ରାଶି ରହିଛି। ନିକଟରେ ଓଡ଼ିଶାରେ ଘଟିଥିବା ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ଫୋରଣରେ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ, ରେଞ୍ଜଡ଼ା ରେଳ ଷ୍ଟେସନ ନିକଟରେ ବିସ୍ଫୋରଣରେ ରେଳ କର୍ମଚାରୀ ଏଡୁଆ ଓରାମଙ୍କ ମୃତ୍ୟୁ ଓ ବାଙ୍କପଥର ଖଣିରୁ ବିସ୍ଫୋରକ ଲୁଟ୍ରେ ଲାଲଚାନ୍ଦ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ମାଓମୁକ୍ତ ଲାଗି ଧାର୍ଯ୍ୟ କରାଯାଇଥିବା ତାରିଖକୁ ଆଉ ମାେସ ବାକିଥିବା ବେଳେ ମାଓବାଦୀଙ୍କୁ ସଫା କରୁଛନ୍ତି ସୁରକ୍ଷାକର୍ମୀ।
Powered by Froala Editor