୧୧ଟା ୩୦ରେ ନବୀନ ନିବାସରେ ବୈଠକ
ଭୁବନେଶ୍ବର: ଶୁକ୍ରବାର ଅପରାହ୍ଣରେ ଚଳଚଞ୍ଚଳ ହୋଇଥିଲା ନବୀନ ନିବାସ। ୫ଟାରେ ବୈଠକ ଡକା ଯାଇଥିବାରୁ ଜଣକ ପରେ ଜଣେ ବିଧାୟକ ନବୀନ ନିବାସରେ ପହଞ୍ଚିଥିଲେ। ପ୍ରାୟ ୩୫ରୁ ଅଧିକ ବିଧାୟକ ପହଞ୍ଚିବା ପରେ ବୈଠକ ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ରାଜ୍ୟସଭା ନିର୍ବାଚନ ସହ ଅନ୍ୟ କେତେକ ପ୍ରସଙ୍ଗରେ ଦଳର ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ କୌଣସି କାରଣବଶତଃ ଏହି ବୈଠକ ହୋଇପାରିନି। ଏପରିକି ନବୀନଙ୍କ ସହ ବିଧାୟକଙ୍କ ସାକ୍ଷାତ ମଧ୍ୟ ହୋଇନଥିଲା କି କୌଣସି ପ୍ରକାର ଆଲୋଚନା ହୋଇନଥିଲା। ୫ଟାରୁ ୬ଟା ୧୫ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ବିଧାୟକମାନେ ଫେରିଥିଲେ। ବିଧାୟକମାନେ କେବଳ ନବୀନ ନିବାସ ଯାଇ ସେଠାରେ ଚା’, ସ୍ୟାଣ୍ଡୱିଚ୍ ଖାଇ ଫେରିଥିବା ସୂଚନା ମିଳିଛି।
ଶନିବାର ପୂର୍ବାହ୍ଣ ୧୧ଟା ୩୦ରେ ବୈଠକ ପାଇଁ ଡକାଯିବ ବୋଲି ସେମାନଙ୍କୁ କୁହାଯାଇଥିଲା। ଶୁକ୍ରବାର ବୈଠକକୁ ଶେଷ ମୁହୂର୍ତ୍ତରେ ବାତିଲ୍ କରିବା ପଛରେ ଭିନ୍ନଭିନ୍ନ କାରଣ ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ବୈଠକରେ ଦଳର ସମସ୍ତ ବିଧାୟକ ଉପସ୍ଥିତ ନଥିଲେ। ୪୮ ଜଣଙ୍କ ମଧ୍ୟରୁ ପ୍ରାୟ ୧୦-୧୨ ଜଣ ଅନୁପସ୍ଥିତ ଥିଲେ। ଅନ୍ୟପକ୍ଷରେ ବିଜେପି ନିଜର କାର୍ଡ ଏପର୍ଯ୍ୟନ୍ତ ଖୋଲିନଥିବାରୁ ନବୀନ ଏହି ବୈଠକକୁ ବାତିଲ କରିଥିବା କୁହାଯାଉଛି। ବିଜେଡି ୬ ସେଟ୍ ଫର୍ମ ନେଇଥିଲେ ମଧ୍ୟ ଶୁକ୍ରବାର କାହାଠୁ ବି ଦସ୍ତଖତ (ପ୍ରସ୍ତାବକ) ସଂଗ୍ରହ କରିନଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ନବୀନ ନିବାସରୁ ଫେରିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିଧାୟକ ସୁନିଲ ମହାନ୍ତି, ସୁବାସିନୀ ଜେନା କହିଲେ, ସଙ୍ଗଠନକୁ ସୁଦୃଢ଼ କରାଯିବା ସମ୍ପର୍କରେ ଆଲୋଚନା ହେଲା। ରାଜ୍ୟସଭା ପ୍ରସଙ୍ଗରେ କିଛି ଆଲୋଚନା ହୋଇନାହିଁ। ବିଧାୟକ ଗୌତମବୁଦ୍ଧ ଦାସ କହିଥିଲେ, ଦଳର ସଭାପତି ଆଜି ସମସ୍ତ ବିଧାୟକଙ୍କ ବୈଠକ ଡାକିଥିଲେ। ପ୍ରଥମ ପର୍ଯ୍ୟାୟରେ ସଙ୍ଗଠନ ବିଷୟରେ ଆଲୋଚନା ହେଲା। ବିଭିନ୍ନ ନିର୍ବାଚନମଣ୍ଡଳୀ ବିଷୟରେ ସେ ପଚାରି ବୁଝିଲେ। ଶନିବାର ପୁଣିଥରେ ବୈଠକ ଡକାଯାଇଛି। ବିଧାୟକ ଅରୁଣ ସାହୁ କହିଥିଲେ, ସଙ୍ଗଠନ ସମ୍ପର୍କରେ ଅନେକ କଥା ଆଲୋଚନା ହେଲା।
Powered by Froala Editor