ଚୋର ସନ୍ଦେହରେ ଯୁବକଙ୍କୁ ହତ୍ୟା : ଗୋଡ଼ ଓ ହାତର ନଖ ଉପାଡ଼ି ଦେଇଛନ୍ତି ଅଭିଯୁକ୍ତ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସାର୍ଦ୍ଦୁଳ ଗ୍ରାମରେ ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଭଳି ଘଟଣା ଘଟିଛି। ଶୁକ୍ରବାର ରାତିରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବାନ୍ଧି ଗ୍ରାମବାସୀମାନେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୩୦ ଜଣଙ୍କୁ ଅଟକ ରଖିଛି। ପୁଲିସର ଏକ ଟିମ୍ ସାର୍ଦ୍ଦୁଳ ଗାଁରେ ପହଞ୍ଚି ବାକି ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି। ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି।
ସୂଚନାନୁଯାୟୀ, ଶୁକ୍ରବାର ରାତିରେ ପ୍ରାୟ ୪ ଜଣ ଯୁବକ ସାର୍ଦ୍ଦୁଳ ଗ୍ରାମକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ କିଛି ଲୋକ ରାତିରେ ଉଠିପଡ଼ି ଉକ୍ତ ଯୁବକମାନେ ଚୋରି କରିବାକୁ ଆସିଥିବା ସନ୍ଦେହ କରି ସେମାନଙ୍କୁ ଗୋଡ଼ାଇଥିଲେ। ଏହାପରେ ଜଣଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ। ପୁଲିସ ସକାଳେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ ଗୋଡ଼ ହାତ ଭାଙ୍ଗି ଯାଇଛି। ଏଥିସହ ଗୋଡ଼ ଓ ହାତର ଦୁଇଟି ନଖକୁ ଲୋକେ ଉପାଡ଼ି ଦେଇଛନ୍ତି। ଅସହ୍ୟ ଯନ୍ତ୍ରଣା ସହି ନପାରି ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତ ଯୁବକ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା କୁରୁମୁଙ୍ଗିଆ ଗ୍ରାମର ବାଣଧର ପ୍ରଧାନ (୪୦ ବର୍ଷ) । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏନେଇ ଜି ଉଦୟଗିରି ପୁଲିସ ଏବଂ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି।ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ।
Powered by Froala Editor