ଓଟ ପାଇଁ ହେବ “କ୍ୟାମେଲ ପାସପୋର୍ଟ”
ସାଉଦି ସରକାର କହିଛନ୍ତି ଓଟ ପାଇଁ ଏବେ ହେବ ପାସପୋର୍ଟ। ଆରବ ସରକାର ଓଟମାନଙ୍କ ପାଇଁ ଆଧିକାରିକ “କ୍ୟାମେଲ ପାସପୋର୍ଟ” ଜାରି କରିବାକୁ ଯାଉଛି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଟମାନଙ୍କର କ୍ରୟ-ବିକ୍ରୟ, ପରିଚୟ ଏବଂ ପରିଚାଳନାକୁ ଆଉ ଅଧିକ ସୁସଂଗଠିତ କରିବା। ଏହା ସହିତ ଏକ ବିଶ୍ୱସନୀୟ ଡିଜିଟାଲ ଡାଟାବେସ୍ ତିଆରି କରିବା ମଧ୍ୟ ଏହାର ଲକ୍ଷ୍ୟ।
ଏହି ପାସପୋର୍ଟରେ ଲାଇସେନ୍ସପ୍ରାପ୍ତ ପଶୁ ଚିକିତ୍ସକଙ୍କ ଦ୍ୱାରା ପ୍ରମାଣିତ ଟୀକାକରଣ ଏବଂ ସ୍ୱାସ୍ଥ୍ୟ ରେକର୍ଡ ମଧ୍ୟ ସାମିଲ ରହିବ। ଟୀକାକରଣ ସହିତ ସ୍ୱାକ୍ଷର ଏବଂ ସରକାରୀ ମୋହର ମଧ୍ୟ ଅନ୍ତର୍ଭୁକ୍ତ ରହିବ ।
ସରକାରୀ ସୂଚନା ଅନୁସାରେ, କ୍ୟାମେଲ ପାସପୋର୍ଟ ଏକ ସମ୍ପୂର୍ଣ୍ଣ ପରିଚୟ ଓ ମାଲିକାନା ଦଲିଲ ଭାବେ କାମ କରିବ। ଏଥିରେ ମାଇକ୍ରୋଚିପ୍ ନମ୍ବର, ପାସପୋର୍ଟ ନମ୍ବର, ଓଟର ନାମ, ଜନ୍ମ ତାରିଖ, ପ୍ରଜାତି, ଲିଙ୍ଗ, ରଙ୍ଗ, ଜନ୍ମସ୍ଥାନ ଏବଂ ଫଟୋଗ୍ରାଫ୍ ସମେତ ସମସ୍ତ ଆବଶ୍ୟକୀୟ ବିବରଣୀ ରହିବ।” ମନ୍ତ୍ରଣାଳୟ କହିଛି, ଏହି ପଦକ୍ଷେପ ଦ୍ୱାରା ଓଟ ସେକ୍ଟର ସହିତ ସମ୍ପୃକ୍ତ ସମସ୍ତ ନିୟମାବଳୀ ଏବଂ ଡିଜିଟାଲ ଢାଞ୍ଚାକୁ ଏକତ୍ରିତ କରାଯିବ। ଏଥିରୁ ପଶୁ ଚିକିତ୍ସା ସେବା ଉନ୍ନତ ହେବ, ନିରୀକ୍ଷଣ ପ୍ରକ୍ରିୟା ସୁଧାରିବ ଏବଂ ବଜାରରେ ପାରଦର୍ଶିତା ବୃଦ୍ଧି ପାଇବ।
Powered by Froala Editor