ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ
ଜଟଣୀ ଅଞ୍ଚଳ ରଥୀପୁରରେ ଚାଲିଥିବା ଚୋରା ମୋରମ୍ ଖଣିରେ ବାରମ୍ବାର ଚଢ଼ଉ ହେଉଥିଲେ ହେଁ ମାଫିଆମାନେ ଚୋରାରେ ଖଣି ଖନନ ବନ୍ଦ କରୁନାହାନ୍ତି। ଜଟଣୀ ତହସିଲ ଅନ୍ତର୍ଗତ ରଥୀପୁରରେ ବ୍ୟାପକ ଚୋରା ଖଣି ଚାଲିଥିବା ନେଇ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଆସୁଛନ୍ତି। ମାଫିଆମାନେ ମାଙ୍କଡ଼ା ପଥର ସହିତ ମୋରମ୍ ଚୋରା ଚାଲାଣ କରୁଛନ୍ତି। ପୂର୍ବରୁ ଏହି ମୌଜାରେ ଚାଲିଥିବା ଚୋରା ଖଣିରେ ଚଢ଼ଉ କରାଯାଇଥିଲା ଏବଂ ଜେସିବି ଓ ହାଇୱା ଜବତ କରାଯାଇଥିଲା। ମାତ୍ର ମାଫିଆମାନେ ଖସିପଳାଇଥିଲେ। ରବିବାର ରାତିରେ ବି ଅନୁରୂପ ଘଟଣା ଘଟିଛି।
ପୁଲିସ ରଥିପୁରରେ ଚଢ଼ଉ କରାଯାଇଛି ଏବଂ ଚୋରା ଖଣିରୁ ୩ଟି ହାଇୱା ଓ ୨ଟି ଜେସିବି ଜବତ କରାଯାଇଛି। ଚଢ଼ଉର ଠିକ୍ ପୂର୍ବରୁ ମାଫିଆମାନେ ଅନ୍ଧାରରେ ଦୌଡ଼ି ଫେରାର ହୋଇଯାଇଛନ୍ତି।
ସୂଚନାଯୋଗ୍ୟ ଯେ, ଲଘୁ ଖଣିଜ ବିଭାଗର ଅଧିକାରୀମାନେ ରାତିଅଧିଆ ପୁଲିସ ନେଇ ଚୋରା ଖଣିରେ ଚଢ଼ଉ କରୁଥିଲେ ହେଁ ଏହି ଖବର କିଭଳି ମାଫିଆମାନଙ୍କ ନିକଟରେ ପହଞ୍ଚୁଛି, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
Powered by Froala Editor