ବଜେଟ୍-୨୦୨୬ରେ ମଧ୍ୟବିତ୍ତଙ୍କ ଭାଙ୍ଗିଗଲା ଆଶା
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପରିବହନ ଭଳି କ୍ଷେତ୍ରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ହେଲେ ବଜେଟରେ ଟିକସ୍ରୁ ରିହାତି ମିଳିବ ବୋଲି ମଧ୍ୟବିତ୍ତ ଆଶା କରିଥିଲେ। ବଜେଟରେ ଆୟକର ସ୍ଲାବରେ ସେଭଳି କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ମଧ୍ୟବିତ୍ତ କରଦାତା ହତାଶ ହୋଇଛନ୍ତି।
ଗତ ବଜେଟ୍ ରେ ସାଧାରଣ ଆୟକରଦାତାଙ୍କୁ ୧୨ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟରେ ଜିରୋ ଟ୍ୟାକ୍ସ ଘୋଷଣା କରାଯାଇଥିଲା। ଏଥର ଏହାର ଲିମିଟ୍ କୁ ୧୪ ଲକ୍ଷ ପର୍ଯ୍ୟନ୍ତ ବଢାଯିବ ବୋଲି ମଧ୍ୟବିତ୍ତ ଆଶା ବାନ୍ଧି ବସିଥିଲେ। ହେଲେ ସରକାର ଏନେଇ କୌଣସି ଘୋଷଣା କଲେ ନାହିଁ।
ନୂଆ ଟ୍ୟାକ୍ସ ସିଷ୍ଟମ ଆଧାରରେ ପିପିଏଫ୍, ଏନପିଏସ୍ ଏବଂ ଇଏଲଏସଏସ୍ ଭଳି ଯୋଜନାରେ ନିବେଶ ଉପରେ କର ଛାଡ଼ ନେଇ ଆଶା ଥିଲା। ହେଲେ ସରକାର ଏଥିରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ପୁରୁଣା ଟିକସ ବ୍ୟବସ୍ଥାରେ, ଆୟକର ଧାରା ୮୦C ଅନୁଯାୟୀ ଏହି ଯୋଜନାଗୁଡ଼ିକରେ ନିବେଶ ଉପରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ଦିଆଯାଇଛି।
ଏଥର ପିଏମ୍ କିଷାନ ପ୍ରୋତ୍ସାହନ ବଢାଯିବ ବୋଲି କୃଷକଙ୍କ ଆଶା ଥିଲା। ହେଲେ ଏଥର ସେଭଳି କିଛି ଘୋଷଣା ହେଲା ନାହିଁ। ସେହିପରି ଫସଲ ଏମଏସପିକୁ ନେଇ ମଧ୍ୟ କିଛି ଘୋଷଣା ହେଲାନି। ବରିଷ୍ଠ ନାଗରିକଙ୍କ ପାଇଁ କିଛି ବୀମା ଯୋଜନା ସପୋର୍ଟ ଏବଂ ରେଲୱେ ଟ୍ରେନ୍ ଟିକଟରେ ଦର ହ୍ରାସ ଭଳି ଘୋଷଣା ଆଶା କରାଯାଉଥିଲା। ହେଲେ ବଜେଟ୍ ରେ କେବଳ ରେଳ କରିଡର ନେଇ ଘୋଷଣା କରାଯାଇଛି। ବରିଷ୍ଠ ନାଗରିକଙ୍କ ଟିଡିଏସ୍ କାଟ ନେଇ ସରକାର କୌଣସି ଘୋଷଣା କଲେନି।
ଅନ୍ୟପକ୍ଷେ ବଜେଟ ଦେଖି ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍ ହେଉଛି। ବଜେଟ 2026-27ରେ ସ୍ବାସ୍ଥ୍ୟସେବା ଏବଂ ଉତ୍ପାଦନ ପାଇଁ ବଡ଼ ଲକ୍ଷ୍ୟ ସ୍ଥିର କରାଯାଇଛି। ହେଲେ ମଧ୍ୟବିତ୍ତ ଶ୍ରେଣୀର କରଦାତାମାନେ ଯେଉଁ ଆଶ୍ୱସ୍ତି ପାଇବେ ବୋଲି ଆଶ କରିଥିଲେ। ତାହା ବଜେଟରେ ଉପସ୍ଥାପନ କରାଯାଇ ନାହିଁ। ଏନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବା ସହ ମଧ୍ୟବିତ୍ତ ଶ୍ରେଣୀର କରଦାତା ନିରାଶ ପ୍ରକଟ କରିଛନ୍ତି।
Powered by Froala Editor