୪୯୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଗୋପାଳପୁର: ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ। ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଏହିଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲା ପାଇଁ ୪୯୨େକାଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି।
ଶୁକ୍ରବାର ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଗଞ୍ଜାମ ଜିଲାର କୋଣ ଅନୁକୋଣରେ ଭରି ରହିଛି କଳା, ସଂସ୍କୃତି ଓ ନୃତ୍ୟଗୀତର ସମ୍ଭାର। ଏଠାରେ ଆୟୋଜିତ ଏହି ମହୋତ୍ସବ କଳା, ସଂସ୍କୃତି ଓ ପର୍ଯ୍ୟଟନର ସମନ୍ୱୟ । ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବବର୍ଗଙ୍କ ପାଇଁ ଅପାର ସୁଯୋଗର ଉତ୍ସବ। ଏହି ମହୋତ୍ସବ ଆମ କଳାକାର ଓ କାରିଗରମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ମଞ୍ଚ ପ୍ରଦାନ କରିଆସିଛି।ଜିଲାର ପାତିସୁନାପୁର ବେଳାଭୂମି ଲଗାତାର ତୃତୀୟ ଥର ପାଇଁ ବ୍ଲୁ ଫ୍ଲାଗ୍ ପ୍ରମାଣ ପତ୍ର ଅର୍ଜନ କରିବା ଓଡ଼ିଶା ପାଇଁ ଗର୍ବର ବିଷୟ ।
ଗୋପାଳପୁର ଓ ନୋଳିଆ ନୂଆଗାଁ ବେଳାଭୂମିକୁ ମଧ୍ୟ ବ୍ଲୁ ଫ୍ଲାଗ୍ ପ୍ରମାଣ ପତ୍ର ପାଇଁ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୧୬,୫୫୪ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି କବିସମ୍ରାଟଙ୍କ ବହୁମୂଲ୍ୟ ଅବଦାନ ପ୍ରତି ସମ୍ମାନ ଜଣାଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସମ୍ମାନଜନକ ‘ଉପେନ୍ଦ୍ର ଭଞ୍ଜ ଚେୟାର’ର ପୁନଃସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ଏହାସସହିତ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀକୁ ଚଳିତ ବର୍ଷ ଠାରୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତା ମଇ ୧୬ ତାରିଖରୁ କବି ସମ୍ରାଟଙ୍କ ଜୟନ୍ତୀ ୭ ଦିନ ବ୍ୟାପୀ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଉଦ୍ଯାପନୀ ସନ୍ଧ୍ୟାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ସମୁଦ୍ର ଆଳତି କରିଥିଲେ । ପରେ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ସଭାରେ ମୁଖ୍ୟମନ୍ତ୍ରୀ ମହୋତ୍ସବର ସ୍ମରଣିକା ‘ଶାମୁକା’, ଗଞ୍ଜାମ ଉପରେ ଏକ କଫି ଟେବୁଲ ବୁକ୍ ଏବଂ ଗଞ୍ଜାମ-୩୬୦ ଆପ୍ ଲୋକାର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲା ପାଇଁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୫ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୪୪୨ କୋଟି ଟଙ୍କା ମୂଲ୍ୟର ୬୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
Powered by Froala Editor