ଅପରାଧ ଭାବେ ଘୋଷଣା ହେଲା ‘ଡାହାଣୀ’ ଶବ୍ଦ ବ୍ୟବହାର
ଭୁବନେଶ୍ୱର: ରାଜ୍ୟରେ ଡାହାଣୀ ଶିକାର ଭଳି ଅମାନବିକ ଓ କୁସଂସ୍କାର ପ୍ରଥାକୁ ଉଚ୍ଛେଦ କରିବା ଦିଗରେ ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ (ଓଏଚଆରସି) ଐତିହାସିକ ଆଦେଶ ଦେଇଛନ୍ତି। ୨୦୧୮ ମାର୍ଚ୍ଚରେ ଯଶୋଦା ସିଂହ ନାମକ ମହିଳାଙ୍କୁ ନୃଶଂସ ହତ୍ୟା ଘଟଣାକୁ ନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ କାନୁନଗୋଙ୍କ ଦ୍ୱାରା ଦାଖଲ ପିଟିସନ୍ର ଶୁଣାଣି କରି ଆୟୋଗ ରାୟ ଶୁଣାଇଛନ୍ତି।
ଡାହାଣୀ ଅଭିଯୋଗ ଆଧାରରେ ଘଟିଥିବା ଏହି ହତ୍ୟା ମାମଲାକୁ ଗୁରୁତ୍ୱର ସହ ବିଚାର କରି ଓଏଚଆରସି ମୃତ ଯଶୋଦା ସିଂହଙ୍କ ନିକଟତମ ଆତ୍ମୀୟଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ପିଟିସନ୍କାରୀଙ୍କ ପ୍ରାର୍ଥନାକୁ ଗ୍ରହଣ କରି ଆୟୋଗ ଓଡ଼ିଶା ଡାହାଣୀ ଶିକାର ନିବାରଣ ଆଇନ–୨୦୧୩ ଓ ଏହାର ପାଳନ ପାଇଁ ୨୦୧୪ରେ ସୂଚିତ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ର ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ।
ବିଶେଷକରି ଡାହାଣୀ ଅଭିଯୋଗ ଆଧାରରେ ବଳପୂର୍ବକ ଗ୍ରାମ ଛାଡ଼, ସାମାଜିକ ବହିଷ୍କାର ଓ ଅମାନବିକ ଆଚରଣ ବିରୋଧରେ ଆଇନରେ ସ୍ପଷ୍ଟ ପ୍ରତିରୋଧମୂଳକ ବ୍ୟବସ୍ଥା ନଥିବା ଅନୁଧ୍ୟାନରୁ ଆୟୋଗ ଅବଗତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଓଏଚଆରସି ରାଜ୍ୟ ସରକାରଙ୍କୁ ‘ଡାହାଣୀ’ ଶବ୍ଦ ବ୍ୟବହାରକୁ ଅପରାଧ ଭାବେ ଘୋଷଣା କରିବା, ଆଇନକୁ ଲିଙ୍ଗ-ନିରପେକ୍ଷ କରିବା ଏବଂ ପ୍ରତିରୋଧ, ପୁନର୍ବାସ ଓ ନ୍ୟାୟ ପୁନସ୍ଥାପନ (ରେଷ୍ଟୋରେଟିଭ୍ ଜଷ୍ଟିସ୍) ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦେଶ ଦେଇଛନ୍ତି। ଗୃହ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗକୁ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍କୁ ସଂଶୋଧନ କରି ସେଥିରେ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ କାର୍ଯ୍ୟ ଯୋଜନା ସାମିଲ କରିବା ସହ ଅବହେଳା ପାଇଁ ଦାୟୀ ବ୍ୟକ୍ତିଙ୍କ ଉପରେ ଜବାବ ରଖିବା ଲାଗି ନିର୍ଦ୍ଧାରଣ କରିବାକୁ କୁହାଯାଇଛି। ଓଏଚଆରସି ରାଜ୍ୟର ଡାହାଣୀ ଶିକାର ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିର୍ଦେଶ ଦେଇଛନ୍ତି।
ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏଏନଏମ୍, ସ୍ଥାନୀୟ ଯୁବ ଓ ମହିଳା ଗୋଷ୍ଠୀ, ଏନଜିଓ ଓ ଲୋକକଳା ଦଳଙ୍କୁ ସାମିଲ କରି ସ୍ଥାନୀୟ ଭାଷା ଓ ଉପଭାଷାରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। ଆୟୋଗ ଡାହାଣୀ ଶିକାର ପୀଡ଼ିତାଙ୍କୁ ସରକାରୀ କଲ୍ୟାଣ ଯୋଜନା ଅନ୍ତର୍ଗତ ପୁନର୍ବାସ ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସୁପାରିଶ କରିଛନ୍ତି। ଜିଲାପାଳ ଏହି କାର୍ଯ୍ୟ ଯୋଜନାର କାର୍ଯ୍ୟାନ୍ବୟନକୁ ନିୟମିତ ଭାବେ ସମୀକ୍ଷା କରିବେ ବୋଲି ଆଦେଶରେ ଉଲ୍ଲେଖ ରହିଛି।
Powered by Froala Editor