ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣା: ୩ ଆହତଙ୍କୁ ପଚରାଉଚରା କରୁଛି ଏନ୍ଆଇଏ
ଭୁବନେଶ୍ବର: ସୁନ୍ଦରପଦା ଆଜାଦ ନଗରରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍ କରିଛି। ମୁଖ୍ୟ ଅଭିଯୁକ୍ତ ସାହାନୱାଜ ମଲିକ ଓରଫ ମୁଫିର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ୩ ଆହତଙ୍କୁ ଏନ୍ଆଇଏ ଗୁରୁବାର ପଚରାଉଚରା କରିଛି। ଘଟଣା ପଛର ରହସ୍ୟ ଖୋଜୁଛି ତଦନ୍ତକାରୀ ସଂସ୍ଥା। ବୋମା ପ୍ରସ୍ତୁତ ପାଇଁ ବାରୁଦ ସମେତ ଅନ୍ୟ ସାମଗ୍ରୀ ଅଭିଯୁକ୍ତ କେଉଁଠୁ ଆଣିଥିଲା। କାହାକୁ ସେ ନିଶାଣ କରିଥିଲା। ଏଥିରେ ସୁପାରୀ କାରବାର ହୋଇଥିଲା କି ନାହିଁ ଏସବୁ ଦିଗକୁ ନେଇ ଏନ୍ଆଇଏ ଖୋଳତାଡ଼ ଚଳାଇଛି। ମୁଫି ସୁସ୍ଥ ହେବା ପରେ ଘଟଣା ଉପରୁ ପରଦା ହଟାଇବା ଲାଗି ଏନ୍ଆଇଏ ଆଶା ବାନ୍ଧିଛି।
କୁଖ୍ୟାତ ଅପରାଧୀ ମୁଫି ଘର ଖୋର୍ଦ୍ଧା ଜିଲା ବୋଲଗଡ଼ର ଇଚ୍ଛାପୁରରେ। ୨୦୨୫ ଫେବୃଆରୀରୁ ଚୁକ୍ତିନାମା କରି ଆଜାଦ ନଗରରେ ସେ ଉକ୍ତ ଘର ଭଡ଼ାକୁ ନେଇ ରହୁଥିଲା। ମଙ୍ଗଳବାର ଅପରାହ୍ଣରେ ଉକ୍ତ କୋଠାର ୪ର୍ଥ ମହଲା ଛାତ ଉପରେ ମୁଫି ବୋମା ଭିଡ଼ୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ବୋମା ଭିଡ଼ିବାରେ ତାକୁ ମା’ ଲିଜାତୁନ ବିବି, ବାନ୍ଧବୀ ତୃପ୍ତିମୟୀ ମହଲା ଓ ସାଙ୍ଗ ଅମିୟ ରଞ୍ଜନ ମଲିକ ସହଯୋଗ କରୁଥିଲେ। ସେମାନେ ମଧ୍ୟ ଆହତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେମାନେ ଫେରାର ହେବା ବେଳେ ଲୋକେ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମୁଫିର ଅବସ୍ଥା ସଙ୍କଟାପନ୍ନ ଥିଲା। ତା’ ନାଁରେ ନୂଆପଲ୍ଲୀ, କ୍ୟାପିଟାଲ, ଖଣ୍ଡଗିରି ଓ ମୈତ୍ରୀ ବିହାର ଥାନାରେ ହତ୍ୟା, ଚୋରି, ଡକାୟତି, ଦାଦାବଟି ଓ ମାର୍ପିଟ୍ ଭଳି ଏକାଧିକ ମାମଲା ରହିଛି। ଘଟଣାସ୍ଥଳରେ ପୁଲିସ ଉପାୟୁକ୍ତ ଜଗମୋହନ ମୀନା ପହଞ୍ଚି ତଦନ୍ତ କରିଥିଲେ।
ଏହି ଖବର ପାଇ ସେଠାରେ ଏନ୍ଆଇଏ ଦଳ ପହଞ୍ଚି ତନାଘନା କରିଥିଲା। ବିସ୍ଫୋରଣ ସ୍ଥଳରୁ କିଛି ନମୁନା ସଂଗ୍ରହ କରିଥିଲା। ଏଥିରେ ବ୍ୟବହାର ହୋଇଥିବା ବାରୁଦକୁ ନେଇ ତଦନ୍ତକାରୀ ସଂସ୍ଥା ସନ୍ଦେହ ପ୍ରକଟ କରିଥିଲା।
Powered by Froala Editor