ଭୟଙ୍କର ବାଣ ବିସ୍ଫୋରଣ: ଜଣେ ମୃତ, ଦୁଇ ଗୁରୁତର
ନିଆଳି: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ନିଧିସାହି ଅଞ୍ଚଳରେ ଥିବା ଏକ ବାଣ ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ନିଆଳି ଅଗ୍ନିଶମ ବିଭାଗ ଓ ବାଲିପାଟଣା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚିଥିଲା । ଗୁରୁତରମାନଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ଭୁବନେଶ୍ବରର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।
ନିଧିସାହି ଅଞ୍ଚଳରେ ଥିବା ଏହି ବେଆଇନ ବାଣ କାରଖାନାରେ ଅକସ୍ମାତ ବିସ୍ଫୋରଣ ହୋଇଥିଲା । ନିଆଳି ଅଗ୍ନିଶମ ବିଭାଗ ଓ ବାଲିପାଟଣା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ବିସ୍ଫୋରଣ ଏତେ ଭୟଙ୍କର ଥିଲା ସବୁ ପୋଡି ପାଉଁଶ ହୋଇଯାଇଥିଲା।ଗୁରୁତରମାନେ ହେଲେ ଅଭିନା କାଣ୍ତି (ବୟସ-୩୦), ପୁନା ଭୋଇ (ବୟସ-୧୯) ଓ ପ୍ରମୋଦ ସାହୁ (ବୟସ-୩୨) । ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲକୁ ପଠା ଯାଇଥିଲା। ସେଠାରେ ଅଭିନା କାଣ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହି ଘଟଣାରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ସେ ହେଲେ ରାକେଶ ତିଆଡି (ବୟସ-୧୭) ।
Powered by Froala Editor