ଆଦିବାସୀ ମେଳା ୨୦୨୬: ଉଦ୍ଘାଟନୀ ଅବସରରେ ଏହା କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ଏକ ବିବିଧ ସଂସ୍କୃତିର ଭୂମି, ଯେଉଁଠାରେ ଜନଜାତି ସମ୍ପ୍ରଦାୟ ହଜାର ହଜାର ବର୍ଷ ଧରି ପ୍ରକୃତିର କୋଳରେ ବସବାସ କରିଆସୁଛନ୍ତି ଓ ସେମାନଙ୍କ ଜୀବନଶୈଳୀ, ପରମ୍ପରା ଓ ଚିନ୍ତାଧାରା ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳା ୨୦୨୬ ଉଦ୍ଘାଟନୀ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ୟୁନିଟ ୧ ସ୍ଥିତ ଆଦିବାସୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି, ଆଦିବାସୀ ମେଳା ୨୦୨୬ । ଏହି ମେଳା ଆସନ୍ତା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଚଳିତ ବର୍ଷ ଏହି ମେଳାରେ ୧୧୪୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି । ଏଥିରେ ୩୨୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ଆଦିବାସୀ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ସମୁଦାୟ ୧୦୯ଟି ଷ୍ଟଲ୍ ଖୋଲାଯାଇଛି । ୧୦ ଟି ଆଦିବାସୀ ଗୃହ ମଧ୍ୟ ନିର୍ମିତ ହୋଇଛି, ଏଗୁଡ଼ିକ ଜନଜାତି ସମ୍ପ୍ରଦାୟଙ୍କ ଜୀବନଶୈଳୀ, ସ୍ଥାପତ୍ୟ ଓ ସାଂସ୍କୃତିକ ଅଭ୍ୟାସକୁ ପ୍ରତିଫଳିତ କରୁଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେତେବେଳେ ଏ ଦେଶ, ଏ ଜାତିର ଆବଶ୍ୟକତା ପଡ଼ିଛି, ଆଦିବାସୀମାନେ ଦେଶମାତୃକାର ରକ୍ଷା କରିବା ପାଇଁ ସବୁବେଳେ ଆଗେଇ ଆସି ପ୍ରାଣବଳୀ ଦେଇଛନ୍ତି। ସେ ଏହି ପରିପ୍ରେକ୍ଷୀରେ ବୀର ସୁରେନ୍ଦ୍ର ସାଏ, ଶହୀଦ ଲକ୍ଷ୍ମଣ ନାୟକ, ବିପ୍ଲବୀ ଧରଣୀଧର ନାୟକ, ଶହୀଦ ମାଧୋ ସିଂହ, ରେଣ୍ଡୋ ମାଝୀଙ୍କ ଭଳି ଅନେକ ଜନଜାତି ବିପ୍ଲବୀ ଆଦିବାସୀ ନେତାଙ୍କ ଅସୀମ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଭୌଗୋଳିକ ସ୍ଥିତିକୁ ଅଧ୍ୟୟନ କଲେ ଆମେ ଜାଣିପାରିବା ଯେ, ରାଜ୍ୟର ଜନଜାତିମାନେ ବିଶେଷତଃ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବହୁଳ ଭାବରେ ବସବାସ କରନ୍ତି । ତେଣୁ ଆଞ୍ଚଳିକ ବୈଷମ୍ୟତା ଦୂର କରିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ।
Powered by Froala Editor