୨୧ ରେ ରତ୍ନସିଂହାସନରେ ପଦ୍ମ ବେଶରେ ଉଭା ହେବେ ଶ୍ରୀବିଗ୍ରହ
ପୁରୀ: ଆସନ୍ତା ୨୧ ତାରିଖ ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ । ଏଣୁ ଦୟଣାମାଳି ସେବକ ବସନ୍ତ କୁମାର ରଣା ଓ ସହଯୋଗୀ ମିଶି ଠାକୁରଙ୍କ ବେଶ ପ୍ରସ୍ତୁତ କରୁଛନ୍ତି । ଶ୍ରୀମୁଖ ପଦ୍ମ, କରପଲ୍ଲଭ, ହଂସ, ଗଛ, ଡାଳିଲତା ଆଦି ବେଶ ସାମଗ୍ରୀ ତିଆରି ଚାଲିଛି । ରତ୍ନସିଂହାସନକୁ ପଦ୍ମ ପୁଷ୍କରିଣୀ ଜ୍ଞାନ କରାଯାଇ ସେଠାରେ ପଦ୍ମ ଗଛ ସ୍ଥାନିତ ହେବା ସହ ୪ ହଂସ ଖେଳିବେ । ରତ୍ନସିଂହାସନରେ ପଦ୍ମ ବେଶରେ ଉଭା ହେବେ ଶ୍ରୀବିଗ୍ରହ ।
ପରମ୍ପରା କ୍ରମେ ଦୋଳମଣ୍ଡପ ସାହିସ୍ଥିତ ବଡ଼ଛତା ମଠରୁ ଏହି ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିଥାଏ । ବେଶ ପ୍ରସ୍ତୁତକାରୀ ୩ଟି ଶ୍ରୀମୁଖ ପଦ୍ମ, ୮୦ ଗୋଟି ପଦ୍ମଫୁଲ, ୭ଟି ଗଛ ଓ ୪ଗୋଟି ହଂସ ତିଆରି କରୁଛନ୍ତି । ଆଗକୁ ମାଳଚୂଳ, କରପଲ୍ଲବ ଓ ପଦ୍ମକଢ଼ି ନିର୍ମାଣ କରାଯିବ । ସୋଲକୁ କାଗଜ ଭଳି କାଟି ଯୋଡ଼ି ବଡ଼ ଫର୍ଦ୍ଦ କରାଯାଇ ବିଭିନ୍ନ ଆକୃତି ପରେ ଏଥିରେ ଜରି ଜମ୍ବୁରା ଖଞ୍ଜା ଯାଉଛି । ପ୍ରାକୃତିକ ଉପକରଣ ହିଙ୍ଗୁଳ, ହରତାଳ, ଦୀପକଳା ଓ କଇଁଥ ଅଠା ବ୍ୟବହାର କରାଯାଉଛି ।
Powered by Froala Editor