ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ ଓ ୪ ଗୁରୁତର
ପାଟନା : ଘନ କୁହୁଡି ହେଲା କାଳ। ବିହାର ବଖତିୟାରପୁର-ମୋକାମା ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶନିବାର ରାତି ପ୍ରାୟ ୧୧ଟା ସମୟରେ ଏଭଳି ଅଘଟଣ ଘଟିଛି। ଘନ କୁହୁଡ଼ିରେ ଗୋଟିଏ ପରେ ଗୋଟିଏ ଅନେକ ଗାଡ଼ି ଧକ୍କା ହୋଇଥିଲା। ଏହି ଘଟଣାରେ ଜଣେ ବାପା ଏବଂ ଝିଅଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟିବା ପରେ ୧ ଘଣ୍ଟା ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଏଥିରେ ୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଅନୁପମ୍ କୁମାର ଏବଂ ତାଙ୍କ ଝିଅ ଆସ୍ଥାରାଣୀ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ପୁରା ପରିବାର ଭାଗଲପୁରରୁ ଫରିଦାବାଦ ଯାଉଥିଲେ। ଘଟଣାଟି ଅଠମଲଗୋଲା ଥାନା ଅଞ୍ଚଳର ଫୁଲେଲପୁର ଗାଁ ନିକଟରେ ଘଟିଥିଲା। ସୂଚନା ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବଖତିୟାରପୁରର ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏକ କଣ୍ଟେନର ଦ୍ରୁତ ଗତିରେ ଯାଉଥିବାବେଳେ ହଠାତ୍ ଟାୟାର ଫାଟି ଯାଇଥିଲା। ଘନ କୁହୁଡ଼ି ଯୋଗୁଁ ବିପରୀତ ଦିଗରୁ ଆସୁଥିବା ଏକ କାର୍ ରାସ୍ତା ଦେଖି ନପାରି କଣ୍ଟେନରରେ ପିଟି ହୋଇଯାଇଥିଲା।
ଏହି ଧକ୍କା ପରେ, ପଛରୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ ପରସ୍ପର ସହିତ ଧକ୍କା ଖାଇଥିଲେ। କଣ୍ଟେନରଟି ବେଗୁସରାଇରୁ ପାଟନା ଆସୁଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ , କାରରେ ଥିବା ଡ୍ରାଇଭର ଅନୁପମଙ୍କ ମୁଣ୍ଡ ଚାପି ହୋଇରହିଥିଲା। ଗ୍ୟାସ୍ କଟରରେ କାଟି ତାଙ୍କୁ ବାହାର କରାଯାଇଥିଲା।
Powered by Froala Editor