ବିଚାରପତିଙ୍କ ବାସଭବନରୁ ଟଙ୍କା ଜବତ ମାମଲାରେ ରାୟ ସଂରକ୍ଷିତ
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ନଗଦ ଟଙ୍କା ଜବତକୁ ନେଇ ଆଗତ ଏକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଥିବାବେଳେ ରାୟକୁ ସଂରକ୍ଷିତ ରଖାଯାଇଛି। ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଏସ.ସି.ବର୍ମାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଉଭୟପକ୍ଷର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି। ସୂଚନାଯୋଗ୍ୟ ଏହି ମାମଲାର ତଦନ୍ତ କରିବାକୁ ଯେଉଁ ସଂସଦୀୟ କମିଟି ଗଠନ କରାଯାଇଛି, ତାହାର ପ୍ରତିବାଦରେ ଜଷ୍ଟିସ ବର୍ମା ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ। ଜଷ୍ଟିସ ବର୍ମାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଯୁକ୍ତି ଦର୍ଶାଇଥିଲେ ଯେ ‘ବିଚାରପତି (ତଦନ୍ତ) ଆଇନ ୧୯୬୮’ ଅନୁଯାୟୀ ଏଭଳି ସଂସଦୀୟ କମିଟି ଗଠନ କରିବାର କ୍ଷମତା କେବଳ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କର ରହିଛି।
କୌଣସି କାର୍ୟ୍ୟରତ ବିଚାରପତିଙ୍କୁ ବହିଷ୍କାର ସଂକ୍ରାନ୍ତ ପ୍ରସ୍ତାବକୁ ଗୃହରେ ଆଗତ କରିବାର କ୍ଷମତା ଏହି ଦୁଇଜଣଙ୍କ ନିକଟରେ ରହିଛି। ତେବେ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ ଯେ ଯଦି ଏଭଳି କୌଣସି ପ୍ରସ୍ତାବ ଉଭୟ ଗୃହରେ ଆଗତ ହୋଇସାରିଥାଏ, ତେବେ ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଯୁଗ୍ମଭାବେ ତଦନ୍ତ କମିଟି ଗଠନ କରିପାରିବେ। ଜଷ୍ଟିସ ବର୍ମାଙ୍କ ବହିଷ୍କାର ନିମନ୍ତେ ସର୍ବଦଳୀୟ ପ୍ରସ୍ତାବ ଲୋକସଭାରେ ଗୃହୀତ ହେବାପରେ ଗତବର୍ଷ ଅଗଷ୍ଟ ୧୨ରେ ବାଚସ୍ପତି ଓମ୍ ବିର୍ଲା ତିନିଜଣିଆ ତଦନ୍ତ କମିଟି ଗଠନ କରିଥିଲେ। ଏଥିରେ ସୁପ୍ରିମକୋର୍ଟ ବିଚାରପତି ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ବିଚାରପତି ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ ବରିଷ୍ଠ ଆଇନଜୀବୀ ବି.ଭି.ଆଚାର୍ୟ୍ୟଙ୍କୁ ସାମିଲ କରାଯାଇଛି।
ସୂଚନାଯୋଗ୍ୟ ଗତବର୍ଷ ମାର୍ଚ୍ଚରେ ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ଅଧାପୋଡା ଟଙ୍କା ଜବତ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ହେବାରୁ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏକ ତିନିଜଣିଆ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ସିଲା ନାଗୁ, ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଜି.ଏସ.ସାନ୍ଧୱାଲିଆ ଏବଂ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅନୁ ଶିବରମଣଙ୍କୁ ନେଇ ଗଠିତ ଏହି କମିଟି ତାଙ୍କ ରିପୋର୍ଟରେ ଜଷ୍ଟିସ ବର୍ମାଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ।
Powered by Froala Editor