ଏହି ସବୁ ଏନ୍ଏସିରେ ନୂତନ କାର୍ୟ୍ୟାଳୟ ସ୍ଥାପନ ପାଇଁ ୬ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର: ଓଡ଼ିଶାର ସହରଗୁଡିକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ୩୧ ଡିସେମ୍ବର ୨୦୨୫ରେ ନୂଆ ୪ଟି ଏନ୍ଏସିକୁ ମିଶାଇ ସମୁଦାୟ ୨୮ଟି ଏନ୍ଏସି ମାନ୍ୟତା ପାଇଛି । ଏହି ସବୁ ଏନ୍ଏସିରେ ନୂତନ କାର୍ୟ୍ୟାଳୟ ସ୍ଥାପନ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯୋଜନା କରାଯାଉଛି । ଏଥି ପାଇଁ ୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥି ସହ ପ୍ରତି ଏନ୍ଏସିକୁ ପରିମଳ, ଆଲୋକୀକରଣ ଏବଂ ସଫେଇ କାର୍ୟ୍ୟ ପାଇଁ ଦେଢ଼କୋଟି ଟଙ୍କା ଲେଖାଏଁ ଅର୍ଥରାଶି ମଞ୍ଜୁର କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ।
ଆଜି ଖାରବେଳ ଭବନ ଠାରେ ମନ୍ତ୍ରୀ ଡା. ମହାପାତ୍ର ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧଗଡ, ଆସ୍କା, ଭଞ୍ଜନଗର, ଛତ୍ରପୁର, କବିସୂର୍ୟ୍ୟନଗର, ପୋଲସରା ଓ କରଞ୍ଜିଆ ଆଦି ୭ଟି ଅଞ୍ଚଳକୁ ନୂତନ ପୌରପାଳିକା ଭାବେ ଘୋଷଣା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମରେ ୨୬ ଟି ଏବଂ ବ୍ରହ୍ମପୁର ମହାନଗର ନିଗମରେ ୩୪ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବାର ପ୍ରସ୍ତାବ ରହିଛି । ଭୁବନେଶ୍ୱର ସହରକୁ ସବୁଜସୁନ୍ଦର ଓ ନାଗରିକକୈନ୍ଦ୍ରିକ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପରିମଳ, ଆଲୋକୀକରଣ, ଜଳଯୋଗାଣ, ସଫେଇ କାର୍ୟ୍ୟ ଆଦି ପାଇଁ ପଦକ୍ଷେପ ନିଆଯାଉଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀଙ୍କର ଏହା ଦୀର୍ଘ ଦିନରୁ ଦାବି ଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ମନ୍ତ୍ରୀ ଡ. ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ପୁରୀକୁ ଷଷ୍ଠ ମହାନଗର ନିଗମ ଭାବେ ଘୋଷଣା କରିଛନ୍ତି ।
Powered by Froala Editor