ପେନ୍କିଲର ନିମେସୁଲାଇଡ୍ ଉପରେ ଲାଗିଲା ଅଙ୍କୁଶ
ଭାରତରେ ଯନ୍ତ୍ରଣା କିମ୍ବା ଜ୍ୱର ଭଳି ଛୋଟମୋଟ ସମସ୍ୟାର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ପେନ୍କିଲର ନିମେସୁଲାଇଡ୍ (Nimesulide) ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୦୦ ମିଲିଗ୍ରାମରୁ ଅଧିକ ଡୋଜ୍ ଥିବା ‘ନିମେସୁଲାଇଡ୍’ ଓରାଲ ମେଡିସିନ୍ର ତିଆରି ଏବଂ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିଛି। ଏଥିରୁ ସୃଷ୍ଟି ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ବୈଷୟିକ ଔଷଧ ପରାମର୍ଶ ବୋର୍ଡଙ୍କ ପରାମର୍ଶ ଅନୁସାରେ ଔଷଧ ଓ ସୌନ୍ଧର୍ଯ୍ୟ ପ୍ରସାଧାନ ଅଧିନିୟମ ୧୯୪୦ର ଧାରା ୨୬ଏ ଅନୁସାରେ ଦେଶରେ ଏହି ଔଷଧର ପ୍ରସ୍ତୁତି ଓ ବିକ୍ରି ଉପରେ କଟକଣା ଜାରି ହୋଇଛି।
ଏହା ଛଡା ସ୍ୱାସ୍ଥ୍ୟ ବିଭାଗ ଏକ ଡ୍ରାଫ୍ଟ ଅଧିସୂଚନା ମଧ୍ୟ ଜାରି କରିଛନ୍ତି। ଏଥିରେ ଔଷଧକୁ ବିନା ପ୍ରେସ୍କ୍ରିପସନରେ ମିଳୁଥିବା ଔଷଧ ସୂଚୀକୁ ବାହାର କରାଯାଇଥିବା ବେଳେ କାସ ପାଇଁ ସିରପ ଔଷଧକୁ ଅନୁସୂଚୀ Kରୁ କାଢି ଦିଆଯାଇଛି। ଏହା ସେହି ଔଷଧ ତାଲିକା ଯେଉଁଥି ପାଇଁ ଏପର୍ଯ୍ୟନ୍ତ ପଞ୍ଜିକୃତ ଡାକ୍ତରଙ୍କ ପ୍ରେସ୍କ୍ରିପସନର ଆବଶ୍ୟକତା ପଡୁ ନଥିଲା। ତେବେ କାଶ ପାଇଁ ବଟିକା, ଲଜେନ୍ସ ଅଥବା ଚକଲେଟ୍ ଏହି ସୂଚୀରେ ରହିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଅଧିସୂଚନାରେ କୁହାଯାଇଛି ଯେ ୧୦୦ ମିଲିଗ୍ରାମରୁ ଅଧିକ ନିମୁସ୍ଲାଇଡ ଯୁକ୍ତ ସବୁ ଔଷଧର ଉପଯୋଗ ମାନବ ଲାଗି କ୍ଷତିକାରକ ହୋଇପାରେ। ତେବେ ଏହାର ସୁରକ୍ଷିତ ବିକଳ୍ପ ଉପଲବ୍ଧ ଅଛି।
ଏହି ପଦକ୍ଷେପ ଯୋଗୁ ଦେଶର ବଡ଼ ଔଷଧ କମ୍ପାନୀଙ୍କୁ ସେମିତି କିଛି ପ୍ରଭାବ ପଡିବ ନାହିଁ। କାରଣ ନିମୁସ୍ଲାଇଡ ମୋଟ ଏନଏସଆଇଡି ବିକ୍ରିର ଏକ ଛୋଟ ଅଂଶ। ତେବେ ଏହି ଔଷଧ ଉପରେ ନିର୍ଭର ରହୁଥିବା ଛୋଟ ଔଷଧ କମ୍ପାନୀଙ୍କୁ ରାଜସ୍ୱ ସମ୍ପର୍କିତ ଚାପର ସମ୍ମୁଖୀନ ହେବାକୁ ପଡିପାରେ।
ତେବେ ବିଶେଷଜ୍ଞଙ୍କ ଅନୁସାରେ ଏହାର ଦୀର୍ଘକାଳୀନ ବ୍ୟବହାର କିଡନୀର କାର୍ଯ୍ୟକୁ ପ୍ରଭାବିତ କରିପାରେ। ପେଟ ସମସ୍ୟା ଯେପରିକି ଗ୍ୟାସ୍, ଏସିଡିଟି, ପେଟ ଯନ୍ତ୍ରଣା, ବାନ୍ତି ଏବଂ ଡାଇରିଆ। ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ଲିଭର ଏନଜାଇମ ବୃଦ୍ଧି, ହେପାଟାଇଟିସ୍ ଏବଂ ଗୁରୁତର ଭାବରେ ଲିଭର କ୍ଷତି କରିଥାଏ। ବୟସ୍କ ଏବଂ ପିଲାମାନେ ଅଧିକ ବିପଦରେ ଥାଆନ୍ତି କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ।
Powered by Froala Editor