ମହାନଦୀ ଜଳ ବିବାଦ: ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ
ଭୁବନେଶ୍ୱର: ମହାନଦୀ ଜଳକୁ ନେଇ ଛତିଶଗଡ଼ ସରକାରଙ୍କ ସହିତ ରହିଥିବା ବିବାଦର ସ୍ଥିତି କ’ଣ ଅଛି ଏବଂ ଆଗକୁ କ’ଣ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଆବଶ୍ୟକ, ସେ ସମ୍ପର୍କରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକରେ ଆଲୋଚନା କରାଯାଇଛି। ଚଳିତ ମାସ ୧୧ ତାରିଖରେ ରାଜ୍ୟ ସରକାର ଏହି କମିଟି ଗଠନ କରିଥିବା ବେଳେ ଆଜି ତାହାର ପ୍ରଥମ ବୈଠକ ସ୍ଥାନୀୟ ରାଜୀବ ଭବନରେ ବସିଥିଲା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାନଦୀ ଜଳ ବିବାଦର ବିଭିନ୍ନ ଦିଗ ଓ ସ୍ଥିତିକୁ ନେଇ କମିଟିର ସଦସ୍ୟମାନେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ସରୋଜ କୁମାର ପ୍ରଧାନ, ନିରଞ୍ଜନ ପୂଜାରୀ ଏବଂ ସୋଫିଆ ଫିେର୍ଦ୍ଦାସ ଯୋଗ ଦେଇଥିବା ବେଳେ ବିଧାୟକ ଜୟନାରାୟଣ ମିଶ୍ର ଆଭାସି ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ।
ବୈଠକରେ ହୀରାକୁଦ ପ୍ରକଳ୍ପ, ମହାନଦୀ ଜଳ ବିବାଦର ଐତିହାସିକ ପୃଷ୍ଠଭୂମି, ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିକଟରେ ଥିବା ମାମଲାର ସ୍ଥିତି, ମହାନଦୀ-ସମ୍ବନ୍ଧୀୟ ସମସ୍ୟାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପ୍ରକ୍ରିୟା ଏବଂ ମହାନଦୀ ଅବବାହିକା ସମ୍ବନ୍ଧୀୟ ବିଷୟଗୁଡ଼ିକର ସାମଗ୍ରିକ ସ୍ଥିତି ଉପରେ ପ୍ରାରମ୍ଭିକ ଆଲୋଚନା ହୋଇଥିଲା।
Powered by Froala Editor