ଓଡ଼ିଶାର ୧୦୮ଟି ଏସଇବିସି ସମ୍ପ୍ରଦାୟକୁ ଓବିସି ତାଲିକାରେ ସାମିଲ ପାଇଁ ଚିଠି
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ୧୦୮ଟି ଏସଇବିସି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାରଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ପ୍ରଧାନ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ଏହି ସମ୍ପ୍ରଦାୟଗୁଡ଼ିକ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଏସଇବିସି ତାଲିକାରେ ମାନ୍ୟତା ପାଇଥିଲେ ମଧ୍ୟ କେନ୍ଦ୍ରୀୟ ତାଲିକାରେ ସ୍ଥାନ ପାଇନାହାଁନ୍ତି। ଏହି ଅସଙ୍ଗତି କାରଣରୁ ଏହି ବର୍ଗର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାର ଜନସଂଖ୍ୟା ଅନୁସାରେ ଏସଇବିସି ବର୍ଗର ଲୋକମାନଙ୍କ ସଂଖ୍ୟା ଅଧିକ। ଏହି ସମ୍ପ୍ରଦାୟର ଜାତି/ଉପଜାତି/ବର୍ଗର ଲୋକମାନଙ୍କୁ କେନ୍ଦ୍ରୀୟ ତାଲିକାରେ ଅନ୍ତର୍ଭୁକ୍ତ କରାଗଲେ ସେମାନଙ୍କୁ ସମାନ ଭାବେ ସର୍ବଭାରତୀୟ ସ୍ତରରେ ସ୍ଥାନ ସଂରକ୍ଷଣ ଓ କଲ୍ୟାଣକାରୀ ଯୋଜନାର ସୁବିଧା ମିଳିପାରିବ, ଯାହା ସେମାନଙ୍କର ଆର୍ଥିକ ଓ ଶିକ୍ଷାଗତ ଅଭିବୃଦ୍ଧିରେ ସହାୟକ ହେବ।
ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି , ବିଶେଷକରି ଯେତେବେଳେ ସେମାନେ ଅନ୍ୟ ରାଜ୍ୟକୁ ଯାଆନ୍ତି ଓ କେନ୍ଦ୍ର ସରକାରଙ୍କ ସେବା, ଶିକ୍ଷାନୁଷ୍ଠାନ କିମ୍ବା ନିଯୁକ୍ତି ସୁଯୋଗ ଖୋଜନ୍ତି ସେତେବେଳେ ଅନେକ ଅସୁବିଧା ସାମ୍ନା କରନ୍ତି । ଏପରିକି ସେମାନେ ଜାତୀୟ ସ୍ତରରେ ଉପଲବ୍ଧ ସଂରକ୍ଷଣ ସୁବିଧା ଏବଂ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ।
ତେଣୁ ରାଜ୍ୟ ଏବଂ କେନ୍ଦ୍ରୀୟ ଢାଞ୍ଚା ମଧ୍ୟରେ ସମାନତା କରିବା ପାଇଁ ସମ୍ପ୍ରଦାୟଗୁଡ଼ିକୁ ଓବିସି ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ୧୦୮ ଏସଇବିସି ସମ୍ପ୍ରଦାୟର ଏକ ବିସ୍ତୃତ ତାଲିକା ଚିଠିରେ ଉଲ୍ଲେଖ କରିଛନ୍ତି ।
Powered by Froala Editor