ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ ପଦୋନ୍ନତି
କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ କମିଟି ସୁପାରିସ କରିଛନ୍ତି। ସେହିଭଳି ଦେଶର ଅନ୍ୟ ୪ଟି ହାଇକୋର୍ଟର ବିଚାରପତିଙ୍କୁ ମୁଖ୍ୟ ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି।
କଟକରେ ଜନ୍ମିତ ବିଚାରପତି ସଙ୍ଗମ କୁମାର ସାହୁ ନୂଆବଜାର ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ବିଏସ୍ସି ପାସ କରିଥିଲେ। ଏହାପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଇଂରାଜୀ ଏବଂ ଓଡ଼ିଆରେ ସ୍ନାତକୋତ୍ତର ହାସଲ ପରେ ଦ ଲ’ କଲେଜ୍ରୁ ଏଲ୍ଏଲ୍ବି ପାସ କରିଥିଲେ। ଓଡ଼ିଶା ରାଜ୍ୟ ବାର୍ କାଉନସିଲରେ ୧୯୮୯ରେ ଆଇନଜୀବୀ ଭାବେ ପଞ୍ଜିକୃତ କରିବା ପରେ ତାଙ୍କ ବାପା ତଥା ବିଶିଷ୍ଟ ଫୌଜଦାରୀ ଆଇନଜୀବୀ ସ୍ବର୍ଗତ ଶରତ ଚନ୍ଦ୍ର ସାହୁ ଏବଂ ଅନ୍ୟତମ ଆଇନଜୀବୀ ଡ. ମନୋରଞ୍ଜନ ପଣ୍ଡାଙ୍କ ନିକଟରେ ସେ ପ୍ରାକ୍ଟିସ କରିଥିଲେ।
ସୁପ୍ରିମକୋର୍ଟ କଲେଜିୟମ କମିଟି ଅନ୍ୟ ଚାରିଜଣ ବିଚାରପତି ଯଥା ଆହ୍ଲାବାଦ ହାଇକୋର୍ଟର ବିଚାରପତି ମନୋଜ କୁମାର ଗୁପ୍ତାଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ ପଦଦୋନ୍ନତି ଦିଆଯାଇଥିଲା ବେଳେ ବମ୍ବେ ହାଇକୋର୍ଟର ଶ୍ରୀମତୀ ରେବତୀ ପି. ମୋହତୀ ଦୀରେଙ୍କୁ ମେଘାଳୟ ମୁଖ୍ୟ ବିଚାରପତି, ବମ୍ବେ ହାଇକୋର୍ଟର ଅନ୍ୟତମ ବିଚାରପତି ଏମ୍.ଏସ୍. ସୋନକଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି, କେରଳ ହାଇକୋର୍ଟର ବିଚାରପତି ଏ. ମହମ୍ମଦ ମୁସ୍ତାକଙ୍କୁ ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ ସୁପାରିସ କରାଯାଇଛି।
Powered by Froala Editor