ଖଣ୍ଡଗିରି ଛକରୁ ଏମ୍ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର
ଭୁବନେଶ୍ୱର: ଏମ୍ସ ଯାଉଥିବା ଆମ୍ବୁଲାନ୍ସ ଆଉ ବାଟରେ ଅଟକିବନି, ଭିଡ଼ରେ ଫସିବନି । ଗୋଲ୍ଡେନ ଆୱାରରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ବଡ଼ ମାଷ୍ଟରପ୍ଲାନ୍ କରିଛନ୍ତି ସରକାର । ଖଣ୍ଡଗିରି ଛକରୁ ଏମ୍ସ ଯାଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ତିଆରି ହେବ । ସର୍ଭିସ୍ ରୋଡକୁ ପ୍ରଶସ୍ତ କରାଯିବ । ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି ହେବ । ଏମିତି ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।
ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏନେଇ ପ୍ରାଥମିକ ସର୍ଭେ ବି କରିସାରିଛି । ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହେବ । ଏବେ ଖଣ୍ଡଗିରି ଛକରୁ ଏମ୍ସ ଯାଏ କିଛି ସ୍ଥାନରେ ରାସ୍ତା ତିନିଲେନ୍ ଅଛି । ଆଉ କିଛି ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇଛି, ଦୁଇ-ଲେନ୍ ଅଛି । ଏଇ ପୂରା ରାସ୍ତାକୁ ତିନି-ଲେନ୍ରେ ପରିଣତ କରାଯିବ । ଏଥିରୁ ଗୋଟିଏ ଲେନ୍ ସମ୍ପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ପାଇଁ ଉତ୍ସର୍ଗିକୃତ ରହିବ । ଏହି କରିଡରକୁ ହଳଦିଆ ରଙ୍ଗରେ ଚିହ୍ନଟ କରାଯିବ । ଏଥିରେ ଯେଉଁଭଳି ଅନ୍ୟ କୌଣସି ଗାଡି ଚଳାଚଳ ନ କରେ, ସେଥିପାଇଁ କିଛି ସୁରକ୍ଷାକର୍ମୀ ବି ନିୟୋଜିତ ହେବେ । କିଛି ସ୍ଥାନରେ ସିସି କ୍ୟାମେରା ବି ଲାଗିବ । ଅନ୍ୟଗାଡି ଅମାନିଆ ହୋଇ ଏହି କରିଡରରେ ପଶିଲେ ଜରିମାନା ଆଦାୟ ହେବ ବୋଲି ଏନଏଚଏଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ବୁଧବାର ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଏକାମ୍ର(ଭୁବନେଶ୍ୱର) ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଏମ୍ସର ଚାରିପାଖର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ସେହିପରି ଖଣ୍ଡଗିରି ଫ୍ଲାଏଓଭର ଠାରୁ ଡୁମ୍ଡୁମା ଅଣ୍ଡର ପାସ ପର୍ଯ୍ୟନ୍ତ ସର୍ଭିସ ରୋଡ୍ର ପ୍ରଶସ୍ତିକରଣ, ଆଇଗିଣିଆ ଆଳୁ ଗଦି ଜଙ୍କସନରୁ ଏମ୍ସ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ, ଭେଣ୍ଡିଂ ଜୋନ୍ ନିର୍ମାଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
Powered by Froala Editor