ହୋମଗାର୍ଡ ପରୀକ୍ଷା ଦେଲେ ଏମ୍ବିଏ, ଇଞ୍ଜିନିୟର ଡିଗ୍ରୀଧାରୀ
ସମ୍ବଲପୁର ଜିଲା ପୁଲିସ ପକ୍ଷରୁ ଗୃହରକ୍ଷୀ ନିଯୁକ୍ତି –୨୦୨୫ ନିମନ୍ତେ ଲିଖିତ ପରୀକ୍ଷା ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଜିଲା ପୁଲିସ ପକ୍ଷରୁ ଜାରି ସୁଚନା ଅନୁଯାୟୀ, ୧୮୭ ପଦବୀ ପାଇଁ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଖୋଲା ଆକାଶ ତଳେ ପରୀକ୍ଷା ଦେଉଥିଲେ । ସମ୍ବଲପୁର ସହରର ଜମାଦାର ପାଲି ଏୟାର ଷ୍ଟ୍ରିପ ଫିଲ୍ଡରେ ଆୟୋଜିତ ହୋମଗାର୍ଡ ପରୀକ୍ଷାରେ ନିଯୁକ୍ତି ଆଶାୟୀ ଖୋଲା ଆକାଶ ତଳେ ପରୀକ୍ଷା ଦେଇଛନ୍ତି । ଏବେ ଏବି ପ୍ରସଙ୍ଗ ସହରରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।
ପୁର୍ବ ନିର୍ଦ୍ଧାରିତ ଶାସନ ଥାନା ଅନ୍ତର୍ଗତ ଜମାଦାରପାଲି ଏୟାର ଷ୍ଟ୍ରିପ ଠାରେ ଆୟୋଜିତ ଏହି ଲିଖିତ ପରୀକ୍ଷାରେ ପ୍ରାୟ ୮ ହଜାର ଆଶାୟୀ ଉଭୟ ପୁରୁଷ ଓ ମହିଳା ସାମିଲ ହୋଇଥିଲେ। ଏଥିରେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ବହୁ ଉଚ୍ଚଶିକ୍ଷିତ ପିଲା ପରୀକ୍ଷା ଦେଇଛନ୍ତି ।
ମାତ୍ର ୧୮୭ଟି ହୋମଗାର୍ଡ ପଦବି ପାଇଁ ଏମ୍ବିଏଠାରୁ ଆରମ୍ଭ କରି ସ୍ନାତକ, ଇଞ୍ଜିନିୟର, ଏମବିଏ, ଏମସିଏ, ଡିପ୍ଲୋମା, ଆଇଟିଆଇ ଏବଂ କମ୍ପୁଟର ବିଜ୍ଞାନଧାରୀ ଏହି ପଦବୀ ପାଇଁ ଆବେଦନ କରିଛନ୍ତି । ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏହି ପରୀକ୍ଷାକୁ ନିରପେକ୍ଷ, ଭୟମୁକ୍ତ ଓ ପାରିଦର୍ଶୀ ରୂପେ ଆୟୋଜିତ କରିବା ନିମନ୍ତେ ଆବଶ୍ୟକୀୟ ସୁରକ୍ଷା ଓ ପ୍ରଶାସିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବୋଲି ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଶଶାଙ୍କ ଶେଖର ବେଉରା ସୁଚନା ଦେଇଛନ୍ତି ।
Powered by Froala Editor